‘ସବୁ ମୋଦି ଚୋର’ ବୟାନ: ରାହୁଲଙ୍କ ବିରୋଧରେ ମାମଲା କରିବାକୁ ପ୍ରସ୍ତୁତ ହେଉଛନ୍ତି ଭାରତରୁ ଫେରାର ଥିବା ଲଲିତ ମୋଦି

ପାଟନା: “ସବୁ ମୋଦି ସାଙ୍ଗିଆଧାରୀ ଲୋକମାନେ ଚୋର” ବୋଲି କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହରଡ଼ଘଣାରେ ଫସିଯାଇଛନ୍ତି । ଗତ କାଲି ବିଜେପି ନେତା ତଥା ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ରାହୁଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବା ପରେ ଏବେ ଆଉ ଜଣେ ବ୍ୟକ୍ତି ତାଙ୍କ ବିରୋଧରେ ମାମାଲ ରୁଜ୍ଜୁ ପାଇଁ ଅଣ୍ଟାଭିଡଛନ୍ତି । ସେ ହେଉଛନ୍ତି ଲଲିତ ମୋଦି । ଆଇପିଏଲରେ ଆର୍ଥିକ ଅନିୟମିତତା ଓ ବେଆଇନ ଅର୍ଥ କାରବାର ପାଇଁ ତାଙ୍କୁ ବିରୋଧରେ ମାମଲା ରୁଜ୍ଜୁ ହୋଇଥିବାବେଳେ ସେ ଏବେ ଫେରାର ହୋଇ ଲଣ୍ଡନରେ ରହୁଛନ୍ତି । ଟ୍ଵିଟ କରି ଲଲିତ କହିଛନ୍ତି ଯେ ରାହୁଲ ଗାନ୍ଧି କହିଛନ୍ତି ଯେ ସବୁ ମୋଦି ଚୋର । ଏଥିପାଇଁ ତାଙ୍କୁ କୋର୍ଟକୁ ଟାଣିବି । ସମସ୍ତେ ଜାଣିଛନ୍ତି ଯେ ଗତ ୫ ଦଶନ୍ଧି ହେଲା ଗାନ୍ଧି ପରିବାର ଦେଶକୁ ଲୁଟିଛନ୍ତି ।

ଗତକାଲି ରାହୁଲଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ ସୁଶୀଲ ମୋଦି । ପାଟନାର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଆଇପିସିର ଧାରା ୫୦୦ ଅଧିନରେ ଏହି ମାମଲା ଦାଏର କରିଛନ୍ତି । କୋର୍ଟ ଆସନ୍ତା ୨୨ ତାରିଖରେ ଏହି ମାମଲାର ଶୁଣାଣି କରିବାର ସମ୍ଭାବନା ରହିଛିି । ଗତ ସୋମବାରଦିନ ଉତ୍ତରପ୍ରଦେଶର ବୁଲନ୍ଦସହର ନିବାସୀ ଜଗଦୀପ କୁମାର ମୋଦି ନାମକ ବ୍ୟକ୍ତି ମଧ୍ୟ ରାହୁଲଙ୍କ ବିରୋଧରେ ଏକ ମାନହାନୀ ମକଦ୍ଦମା କରିଥିଲେ । ନିଜ ଅଭିଯୋଗରେ ସେ କହିଛନ୍ତି ରାହୁଲଙ୍କ ଏହି ବୟାନ ତାଙ୍କର ଓ ତାଙ୍କ ପରିବାରର ମାନହାନି କରିଛି ଓ ଅନେକ ଲୋକ ତାଙ୍କୁ ଏଥିପାଇଁ ଚିଡଉଛନ୍ତି ।

ସମ୍ବନ୍ଧିତ ଖବର