ନୂଆଦିଲ୍ଲୀ: ୧୯୯୯ରେ ଲାଲକିଲ୍ଲା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡରେ ଦଣ୍ଡିତ ପାକିସ୍ତାନ ନାଗରିକ ମହମ୍ମଦ ଆରିଫ୍‌ର ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଗ୍ରାହ୍ୟ କରିଦେଇଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ରାଷ୍ଟ୍ରପତି ମୁର୍ମୁଙ୍କ ଏହା ଦ୍ବିତୀୟ ରାଜକ୍ଷମା ଅଗ୍ରାହ୍ୟ। ମହମ୍ମଦ ଆରିଫ୍‌ ନିଜର ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ସମ୍ବିଧାନର ଧାରା ୩୨ ଅନୁସାରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲେ। ଚଳିତ ବର୍ଷ ମେ ୧୫ ତାରିଖରେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ରାଜକ୍ଷମା ଆବେଦନ ଗ୍ରହଣ କରିଥିଲେ। ପୁଙ୍ଖାନୁପୁଙ୍ଖ ଅନୁଶୀଳନ ପରେ ମେ ୨୭ ତାରିଖରେ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଏନେଇ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ମେ ୨୯ ତାରିଖରେ ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଆଜି ଏନେଇ ସର୍ବସାଧାରଣରେ ସୂଚିତ କରାଯାଇଛି।

Advertisment

ଘଟଣାର ବିବରଣୀ ଅନୁସାରେ, ୧୯୯୯ରେ ପାକିସ୍ତାନର ମହମ୍ମଦ ଆରିଫ୍‌, ଆବୁ ସାଦ୍‌, ଆବୁ ବିଲାଲ୍‌ ଓ ଆବୁ ହାଇଦର ଲାଲକିଲ୍ଲା ଆକ୍ରମଣ କରିବା ଉଦ୍ଦେଶ୍ୟରେ ଭାରତରେ ପ୍ରବେଶ କରିଥିଲେ। ଚଣ୍ଡିଗଡ଼ରେ ଆକ୍ରମଣର ରୂପରେଖ ପ୍ରସ୍ତୁତ କରିଥିଲେ ଓ ୨୨ ଡିସେମ୍ବର ୨୦୦‌୦ରେ ଲାଲକିଲ୍ଲା ଆକ୍ରମଣ କରିଥିଲେ। ଏଥିରେ ଲାଲକିଲ୍ଲା ସୁରକ୍ଷା ଦାୟିତ୍ବରେ ଥିବା ସେନାବାହିନୀର ୭ ରାଜପୁତନା ରାଇଫଲ୍‌ସର ତିନି ଯବାନଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ୪ ଦିନ ପରେ ମହମ୍ମଦକୁ ଦିଲ୍ଲୀ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ତିନି ଆତଙ୍କବାଦୀଙ୍କର ଏନ୍‌କାଉଣ୍ଟର‌ରେ ମୃତ୍ୟୁ ଘଟିଥିଲା। ଅକ୍ଟୋବର ୨୦୦୫ରେ
ନିମ୍ନ ଅଦାଲତ ମାମଲାର ବିଚାର କରି ମହମ୍ମଦ ଆରିଫ୍‌କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ।

ପରବର୍ତ୍ତୀ ସମୟରେ ୨୦୦୭ରେ ଦିଲ୍ଲୀ ହାଇକୋର୍ଟ ଓ ୨୦୧୧ରେ ସୁପ୍ରିମ୍‌କୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। ୨୦୧୨ରେ ମହମ୍ମଦଙ୍କ ପୁନଃବିଚାର ଆବେଦନକୁ ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ। ୨୦୧୪ରେ ପୁଣିଥରେ ମହମ୍ମଦ ସୁପ୍ରିମ୍‌କୋର୍ଟରେ ନିଜର ଦଣ୍ଡାଦେଶର ସଂଶୋଧନ ଆବେଦନ ଦାଖଲ କରିଥିଲା। ସେପ୍ଟେମ୍ବର ୨୦୧୪ରେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଏହାର ବିଚାର କରିଥିଲେ। ସାମ୍ବିଧାନିକ ଖଣ୍ଡପୀଠ ଦ୍ବାରା ଅନୁଶୀଳନ କରିବାକୁ ମତ ଦେଇ ଆବେଦନକୁ ଖାରଜ କରିଦେଇଥିଲେ। ୩ ନ‌ଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ମହମ୍ମଦର ସଂଶୋଧନ ଆବେଦନକୁ ଖାରଜ କରିବା ସହ ମୃତ୍ୟୁଦଣ୍ଡ ସଠିକ୍‌ ଓ ନ୍ୟାୟସମ୍ମତ ବୋଲି ମତ ଦେଇଥିଲେ।