ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଭେଟେରାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, 'ମୁଁ ତାଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଛି। ଆଡଭାନୀ ଆମ ସମୟର ଅନ୍ୟତମ ସମ୍ମାନିତ ରାଜନେତା ଏବଂ ଭାରତର ବିକାଶରେ ତାଙ୍କର ଅବଦାନ ଅବିସ୍ମରଣୀୟ। ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ଲାଲ କୃଷ୍ଣ ଆଡଭାନୀ ତୃଣମୂଳ ସ୍ତରରେ କାମ କରି ଦେଶର ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଆମର ଗୃହମନ୍ତ୍ରୀ ତଥା ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଭାବରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଲାଲକୃଷ୍ଣ ଆଡଭାନୀ ୩ ଥର ବିଜେପିର ଜାତୀୟ ସଭାପତି ହୋଇଛନ୍ତି।
ସେ ଅଟଳ ବିହାରୀ ବାଜପେୟୀ ସରକାରରେ ଦେଶର ଉପପ୍ରଧାନମନ୍ତ୍ରୀ ମଧ୍ୟ ଥିଲେ। ଉଲ୍ଲେଖ ଥାଉ କି ଲାଲକୃଷ୍ଣ ଆଡଭାନୀ ବିଜେପିର ଜଣେ ଟାଣୁଆ ନେତା। ୯୬ ବର୍ଷୀୟ ଆଡଭାନୀ ୧୯୨୭ ମସିହାରେ ପାକିସ୍ତାନର କରାଚିରେ ଜନ୍ମଗ୍ରହଣ କରିଥିଲେ। ୧୯୪୨ ମସିହାରେ, ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନରେ ଯୋଗ ଦେଇଥିଲେ ଏବଂ ସ୍ୱାଧୀନତା ସଂଗ୍ରାମରେ ସହଯୋଗ କରିଥିଲେ। ୧୯୪୭ ମସିହାରେ ଦେଶର ସ୍ୱାଧୀନତା ଏବଂ ଭାରତ ଓ ପାକିସ୍ତାନ ବିଭାଜନ ପରେ ସେ ପରିବାର ସହ ସିନ୍ଧରୁ ଦିଲ୍ଲୀ ଆସିଥିଲେ। ଏଠାରେ ସେ ପ୍ରଥମେ ଜନସଂଘରେ ଯୋଗ ଦେଇଥିଲେ ଏବଂ ପରେ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ହୋଇଥିଲେ। ୧୯୮୮ରେ ସେ ପ୍ରଥମ ଥର ପାଇଁ ଭାରତର ଗୃହମନ୍ତ୍ରୀ ହୋଇଥିଲେ। ଜୁନ୍ ୨୦୦୨ ରୁ ମେ ୨୦୦୪ ପର୍ଯ୍ୟନ୍ତ ଅଟଳ ବିହାର ବାଜପେୟୀ ସରକାର ସମୟରେ ସେ ଦେଶର ଉପପ୍ରଧାନମନ୍ତ୍ରୀ ଥିଲେ।