ଭୁଲ୍‌ ପାର୍ଶ୍ୱରେ ଓହ୍ଲାଇବା କାଳ ହେଲା : ରେଳଲାଇନ୍‌ ପାର୍‌ ହେଉଥିବା ବେଳେ ଚଢ଼ିଗଲା ଲାଲକୁଆଁ ଏକ୍ସପ୍ରେସ୍‌; ୫ ଜୀବନ ଚାଲିଗଲା 

କଇମୁର୍‌ (ବିହାର):  ବିହାରର ଭାବୁଆ ରେଳ ଷ୍ଟେସନ୍‌ରେ ଘଟିଛି ଏକ ଲୋମଟାଙ୍କୁରା ଦୁର୍ଘଟଣା।  ଷ୍ଟେସନ୍‌ର ୩ ନମ୍ବର ପ୍ଲାଟଫର୍ମରେ ୧୧ ଜଣ ଯାତ୍ରୀଙ୍କ ଉପରେ ଟ୍ରେନ  ଚଢ଼ିଯିବାରୁ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଗତ ସଂଧ୍ୟାରେ ଏହି ମର୍ମନ୍ତୁଦ ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବାରଣାସୀ ରାଞ୍ଚ ଇଣ୍ଟରସିଟି ଏକ୍ସପ୍ରେସ ସଂଧ୍ୟା  ୫.୩୦ରେ ପ୍ଲାଟଫର୍ମ ୩ରେ ଅଟକିଥିଲା। ଦୁର୍ଗାପୂଜା ହେତୁ  ଟ୍ରେନ୍‌ରେ ଭିଡ଼ ଥିଲା। ତେଣୁ କିଛି ଯାତ୍ରୀ ପ୍ଲାଟଫର୍ମକୁ ନ ଓହ୍ଲାଇ ଟ୍ରେନ୍‌ ଲାଇନ୍‌ ଥିବା ପାର୍ଶ୍ୱକୁ ଓହ୍ଲାଇ ପଡ଼ିଥିଲେ। ଏହି ଭୁଲ ସେମାନଙ୍କ ପାଇଁ କାଳ ହେଲା।  ତରବରରେ ଥିବା ହେତୁ  ନିକଟତମ ଟ୍ରାକ୍‌ରେ ଆସୁଥିବା ଲାଲ୍‌କୁଆଁ ଏକ୍ସପ୍ରେସ୍‌କୁ ସେମାନେ ଦେଖିପାରି ନଥିଲେ।  ଫଳରେ ଟ୍ରେନ ଲାଇନ୍‌ ପାର ହେଉଥିବା ୧୧ ଜଣଙ୍କ ଉପରେ ଲାଲ୍‌କୁଆଁ ଏକ୍ସପ୍ରେସ୍‌ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ୫ ଜଣ ପ୍ରାଣ ହରାଇଥିଲେ। ଅନ୍ୟ ୬ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୪ ମହିଳା ଗୁରୁତର ଅଛନ୍ତି।

ଏହି ଘଟଣାପରେ ଭାବୁଆ ରେଳଷ୍ଟେସନ୍‌ ଦେଇ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା। ଉତ୍ତ୍ୟକ୍ତ ଲୋକେ ରେଳ ରୋକ କରିଥିଲେ। ଜିଲ୍ଲା ପ୍ରଶାସନ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚ ପରିସ୍ଥିତିକୁ  ନିୟନ୍ତ୍ରଣକୁ ଆଣିଥିଲେ।

 

 

ସମ୍ବନ୍ଧିତ ଖବର