ଲାଲୁଙ୍କୁ ପୁଣି ୫ ବର୍ଷ ଜେଲ୍‌

ଗୋଖାଦ୍ୟ ଦୁର୍ନୀତିର ତୃତୀୟ ମାମଲା

ନୂଆଦିଲ୍ଲୀ: ବିହାର ଗୋଖାଦ୍ୟ ଦୁର୍ନୀତିର ତୃତୀୟ ମାମଲାରେ ଆଜି ରାଞ୍ଚି ସ୍ଥିତି ସ୍ୱତନ୍ତ୍ର ସବିଆଇ ଅଦାଲତ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟଙ୍କୁ ଏହି ମାମଲାରେ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ମଧ୍ୟ ହୋଇଛି। ପୂର୍ବରୁ ଗୋଖାଦ୍ୟ ଦୁର୍ନୀତିର ଦ୍ୱିତୀୟ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌୍‌ରେ ଥିବା ଲାଲୁଙ୍କ ସଙ୍କଟ ଆଜିର କୋର୍ଟ ରାୟପରେ ବଢ଼ିଯାଇଛି। ରାୟ ପ୍ରକାଶ ପାଇବା ପରେ ବିହାର ରାଜନୀତି ସରଗରମ ହୋଇଉଠିଛି। ବିଜେପିର ଷଡ଼ଯନ୍ତ୍ର ଲାଗି ଏଭଳି ସ୍ଥିତି ଉପୁଜିଛି ଏବଂ ଆମେ ଏହା ବିରୋଧରେ ଜନ ଅଦାଲତ ଯିବୁ ବୋଲି ଲାଲୁଙ୍କ ପୁଅ ତଥା ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି। ପୂର୍ବରୁ ଗତ ଜାନୁଆରି ୬ ତାରିଖରେ ଗୋଖାଦ୍ୟ ଦୁର୍ନୀତିର ଦ୍ୱିତୀୟ ମାମଲା ତଥା ଦେଓଘର ଟ୍ରେଜେରିରୁ ବେଆଇନ ଅର୍ଥ ଉଠାଣ ମାମଲାରେ ଲାଲୁଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଥିଲା।

ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ର ମଧ୍ୟ ଦୋଷୀ ସାବ୍ୟସ୍ତ
ଲାଲୁ, ମିଶ୍ରଙ୍କୁ ୫ ଲକ୍ଷ ଲେଖାଏଁ ଜୋରିମାନା

ଆଜି ଚାଇବାସା ଗୋଖାଦ୍ୟ ଦୁର୍ନୀତି ମାମଲାରେ ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଏସଏସ ପ୍ରସାଦ ଉଭୟ ଲାଲୁ ଏବଂ ମିଶ୍ରଙ୍କ ସମେତ ଏହି ମାମଲାରେ ମୋଟ ୫୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମାଟ ୭୬ ଜଣ ଅଭିଯୁକ୍ତ ମଧ୍ୟରୁ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ରାଜସାକ୍ଷୀ ହୋଇଛନ୍ତି। ଦୁଇ ଜଣ ଦୋଷ ସ୍ୱୀକାର କରିଥିବା ବେଳେ ଅନ୍ୟ ଜଣେ ଫେରାର ରହିଥିବା ଜଣାପଡ଼ିଛି। ଏହି ମାମଲାରେ ୬ ଜଣ ବରିଷ୍ଠ ରାଜନେତା ଥିବା ଅଭିଯୁକ୍ତ ଥିବାବେଳେ ୩ ଜଣ ପୂର୍ବ ଆଇଏସ୍‌ ଅଫିସର ମଧ୍ୟ ରହିଛନ୍ତି। ୧୯୯୦ ଦଶକରେ ଚାଇବାସା ଟ୍ରେଜେରିରୁ ବେଆଇନ ଭାବେ ୩୩.୬୭ କୋଟି ଟଙ୍କାର ବେଆଇନ ଉଠାଣ ମାମଲାରେ ଆଜି କୋର୍ଟ ରାୟ ଶୁଣାଇଥିଲେ। ୧୯୯୦ ଦଶକରେ ଚାରା ବାବଦରେ ରାଜ୍ୟ ମଞ୍ଜୁରିପ୍ରାପ୍ତ ୭.୧ ଲକ୍ଷ ଟଙ୍କା ଉଠାଣ ପରିବର୍ତ୍ତେ ଏକ ନକଲି ବିଲ୍‌ର ବ୍ୟବହାର କରି ଚାଇବାସା ଟ୍ରେଜେରିରୁ ୩୩.୬୭ କୋଟି ଟଙ୍କା ଉଠାଇ ନିଆଯାଇଥିଲା। ଲାଲୁଙ୍କ ବିରୋଧରେ ଏବେ ଆହୁରି ଦୁଇଟି ଗୋଖାଦ୍ୟ ଦୁର୍ନୀତି ମାମଲା ରହିଛି। ଡୁମ୍‌କା ଟ୍ରେଜରିରୁ ୩.୯୭ କୋଟିର ବେଆଇନ ଉଠାଣ ଏବଂ ଡୋରାଣ୍ଡା ଟ୍ରେଜରିରୁ ୧୮୪ କୋଟିର ବେଆଇନ ଉଠାଣ ମାମଲାରେ ମଧ୍ୟ ଲାଲୁଙ୍କର ସମ୍ପୃକ୍ତି ରହିଛି। ଗୋଖାଦ୍ୟ ଦୁର୍ନୀତି ନେଇ ଲାଲୁଙ୍କୁ ପ୍ରଥମ ଦଣ୍ଡାଦେଶ ମିଳିଥିଲା ୨୦୧୩ ମସିହା ସେପ୍ଟେମ୍ବର ମାସରେ। ପ୍ରଥମ ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ ମିଳିଥିଲା। ଦ୍ୱିତୀୟ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଲାଲୁ ଗତ ଜାନୁଆରି ୬ ତାରିଖରୁ ଝାଡ଼ଖଣ୍ଡ ବିର୍ସାମୁଣ୍ଡା ଜେଲ୍‌ରେ ଅଛନ୍ତି।

ଆଜିର ସିବିଆଇ କୋର୍ଟ ରାୟକୁ ଉଚ୍ଚ ଅଦାଲତରେ ଚ୍ୟାଲେଂଜ କରିବାକୁ ଆରଜେଡି ସଜବାଜ ହେଉଛି। ଏହି ରାୟ ବିରୋଧରେ ହାଇକୋର୍ଟରେ ଆବେଦନ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟର ମଧ୍ୟ ଦ୍ୱାରସ୍ଥ ହେବୁ ବୋଲି ତେଜସ୍ୱୀ କହିଛନ୍ତି। ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଫସାଇବା ପାଇଁ ବିଜେପି ସହଯୋଗରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହିଁ ଜାଲ୍‌ ବିଛାଇଛନ୍ତି ବୋଲି ସେ କହିଛନ୍ତି। ଏହାର ଜବାବରେ ବିଜେପି କହିଛି ଯେ ରାଜ୍ୟ ରାଜକୋଷକୁ ଲୁଣ୍ଠନ କରିଥିବା ବ୍ୟକ୍ତିମାନେ ଆଇନ ପ୍ରକ୍ରିୟାରୁ ବର୍ତ୍ତି ପାରିବେ ନାହିଁ ଏବଂ ଆଜିର କୋର୍ଟ ରାୟ ତାହା ପ୍ରମାଣିତ କରିଛି ।

ସମ୍ବନ୍ଧିତ ଖବର