ନୂଆଦିଲ୍ଲୀ: ସ୍ବାଧୀନ ଭାରତରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ମୁଖ୍ୟମନ୍ତ୍ରୀ ପଦରେ ଥାଇ ଗିରଫ ହୋଇଛନ୍ତି। ତିନି ଦିନ ହେଲା ଇଡି ହାଜତରେ ଥିଲେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି। ତାଙ୍କ ପୂର୍ବରୁ ତିନି ଜଣ ମୁଖ୍ୟମନ୍ତ୍ରୀ ଜେଲ ଯିବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ସେମାନଙ୍କ ମଧ୍ୟରେ ଅଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାମିଲନାଡ଼ୁର ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତା। ଗତ ଫେବ୍ରୁଆରି ମାସରେ ହେମନ୍ତ ସୋରେନ ଗିରଫ ହେବା ପୂର୍ବରୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦରେ ଥାଇ କୋର୍ଟ ଦ୍ବାରା ଦୋଷୀ ସାବ୍ୟସ୍ତ ହେବାରେ ଲାଲୁ ଯାଦବ ଥିଲେ ପ୍ରଥମ। ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଅଦାଲତ ତାଙ୍କୁ ୨୦୧୩ରେ ୫ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ। ଜେଲ ଯିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାସହିତ କ୍ଷମତା ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କୁ ହସ୍ତାନ୍ତର କରିଥିଲେ। ୨୦୧୪ରେ ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ତାମିଲନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ତାଙ୍କୁ ୪ ବର୍ଷର ଜେଲଦଣ୍ଡ ମିଳିଥିଲା। ଇସ୍ତଫା ଦେଇ ସେ ଜେଲ ଯାଇଥିଲେ। ଏହାପୂର୍ବରୁ ସେ ପନ୍ନିରସେଲଭମଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇଥିଲେ। ଗତ ଫେବ୍ରୁଆରି ମାସରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ସମୟରେ ହେମନ୍ତ ସୋରେନ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଜମି ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଜେରା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା। ତେବେ ଗିରଫ ହେବା ପୂର୍ବରୁ ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେଇଥିଲେ। ତାଙ୍କ ସ୍ଥାନରେ ଜେଏମଏମ୍ ନେତା ଚମ୍ପାଇ ସୋରେନଙ୍କୁ ତାଙ୍କ ପସନ୍ଦରେ ମୁଖ୍ୟମନ୍ତ୍ରୀ କରାଯାଇଛି।
ଏହାବାଦ୍ ଆଉ ୪ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେଲ୍ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଓମ ପ୍ରକାଶ ଚୌତାଲା, ମଧୁ କୋଡ଼ା, ଶିବୁ ସୋରେନ ଓ ଚନ୍ଦ୍ରବାବୁ ନାଇଡ଼ୁ। ୨୦୧୩ରେ ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ୧୦ ବର୍ଷ ଜେଲଦଣ୍ଡ ମିଳିଥିଲା। ଅବଶ୍ୟ କୋର୍ଟ ରାୟ ପ୍ରକାଶ ପାଇବା ସମୟରେ ସେ ମୁଖ୍ୟମନ୍ତ୍ରୀ ନଥିଲେ। ୨୦୦୯ରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା ଖଣି ଦୁର୍ନୀତି ଏବଂ ଆୟବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଯାଇଥିଲେ। ଖଣି ଦୁର୍ନୀତିରେ ସେ ଓ ତାଙ୍କର ସହଯୋଗୀ ୪ ହଜାର କୋଟି ଟଙ୍କା ହଡ଼ପ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ସେହିଭଳି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ ମଧ୍ୟ ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୦୬ରେ ଜେଲ୍ ଯାଇଥିଲେ। ଏହି ରାୟ ପ୍ରକାଶ ପାଇବା ସମୟରେ ସେ କେନ୍ଦ୍ରରେ ମନ୍ତ୍ରୀ ଥିଲେ। ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ୨୦୨୩ରେ ଦୁର୍ନୀତି ମାମଲାରେ ଜେଲ୍ ଯାଇଥିଲେ। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ ପାଣ୍ଠିରେ ହେରଫେର କରିଥିବା ଅଭିଯୋଗ ହୋଇଥିଲା।