ଲାଲୁଙ୍କ ଜାମିନ ଆବେଦନ ଖାରଜ

ଗୋଖାଦ୍ୟ ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନ ଆଜି ଝାଡ଼ଖଣ୍ଡ ହାଇକୋର୍ଟରେ ଖାରଜ ହୋଇଯାଇଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଗତ ଜାନୁଆରି ୬ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁଙ୍କୁ ସାଢ଼େ ତିନିବର୍ଷ ଜେଲ୍‌ଦଣ୍ଡାଦେଶ ଦେଇଥିଲେ। ଲାଲୁ ଏନେଇ ଝାଡ଼ଖଣ୍ଡ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ, କିନ୍ତୁ ହାଇକୋର୍ଟ ଆଜି ଏହି ଆବେଦନ ଖାରଜ କରିଦେଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ରୁଜୁ ହୋଇଥିବା ୬ଟି ମାମଲାରୁ ଗୋଟିଏ ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ଜେଲ୍‌ଦଣ୍ଡ ସହିତ ଲାଲୁଙ୍କ ବିରୋଧରେ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ୧୯୯୧ରୁ ୧୯୯୪ ମଧ୍ୟରେ ଦେଓଘର ଟ୍ରେଜରିରୁ ୮୯.୨୭ ଲକ୍ଷ ଟଙ୍କାର ବେଆଇନ ଉଠାଣ ମାମଲାରେ ଲାଲୁଙ୍କ ସହ ଅନ୍ୟ ୧୫ ଜଣଙ୍କୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଚଳିତବର୍ଷ ଜାନୁଆରି ୨୪ ତାରିଖରେ ମଧ୍ୟ ଲାଲୁଙ୍କୁ ତୃତୀୟ ଗୋଖାଦ୍ୟ ଦୁର୍ନୀତି ମାମଲାରେ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି।

ସମ୍ବନ୍ଧିତ ଖବର