ଲାଲୁଙ୍କୁ ମିଳିଲା ଅନ୍ତରୀଣ ଜାମିନ

ତେଜ ପ୍ରତାପଙ୍କ ବିବାହ ସମାରୋହରେ ‘ମୋଦି ବିରୋଧୀ ମହାମେଣ୍ଟ’

ପାଟନା: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ଥ ହୋଇଥିବା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ୬ ସପ୍ତାହର ଅନ୍ତରୀଣ ଜାମିନ ମିଳିଛି। ସ୍ୱାସ୍ଥ୍ୟଗତ ସମସ୍ୟା ଅଧାରରେ ଆଜି ଝାଡ଼ଖଣ୍ଡ ହାଇକୋର୍ଟ ଲାଲୁଙ୍କ ଜାମିନ ଆବେଦନକୁ ମଞ୍ଜୁରି ଦେଇଛନ୍ତି। ପୁଅ ତେଜପ୍ରତାପଙ୍କ ବିବାହରେ ଯୋଗଦେବା ପାଇଁ ଗୁରୁବାର ଲାଲୁଙ୍କୁ ୩ ଦିନିଆ ପାରୋଲ ମିଳିଥିବା ବେଳେ ଆଜି ଜାମିନ ମଞ୍ଜୁର ହୋଇଯିବା ପରେ ସେ ଆଶ୍ୱସ୍ତ ହୋଇଛନ୍ତି। ବର୍ତ୍ତମାନ ଲାଲୁ ପାଟନାରେ ଅଛନ୍ତି। ଜାମିନରେ ଥିବା ସମୟରେ ମଧ୍ୟ ଲାଲୁ କୌଣସି ରାଜନୈତିକ କାର୍ଯ୍ୟକଳାପରେ ସାମିଲ ହୋଇପାରିବେ ନାହିଁ। ଲାଲୁ ଯାଦବ ତିନିଟିି ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଏବଂ ଡିସେମ୍ବର ୨୩ ତାରିଖରୁ ଝାଡ଼ଖଣ୍ଡର ବିର୍ସାମୁଣ୍ଡା ଜେଲରେ ରହିଛନ୍ତି। ଲାଲୁ ପ୍ରସାଦଙ୍କ ବଡ଼ ପୁଅ ତେଜ ପ୍ରତାପ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ଦାରୋଗା ରାୟଙ୍କ ନାତୁଣି ଐଶ୍ୱର୍ଯ୍ୟା ରାୟଙ୍କ ବିବାହ ସମାରୋହରେ ବିରୋଧୀ ଦଳ ନେତାଙ୍କ ବଡ଼ ଧରଣର ସମାଗମ ହେବ। ଏହି ଅବସରରେ ବିରୋଧୀ ଏକତା ପ୍ରଦର୍ଶନ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମହାମେଣ୍ଟ ନେଇ ମଧ୍ୟ ଚର୍ଚ୍ଚା ହେବ ବୋଲି ଜଣାପଡ଼ିଛି। ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ବିଭିନ୍ନ ରାଜ୍ୟରୁ ୟୁପିଏ ତଥା ବିରୋଧୀ ଦଳ ନେତାମାନେ ଯୋଗଦେବେ। ଲାଲୁ ପରିବାରର ଘନିଷ୍ଠ କୁହାଯାଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଶରଦ ଯାଦବ, ଝାଡ଼ଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଉତ୍ତର ପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ଅଖିଳେଶ ଯାଦବଙ୍କ ସମେତ ବାମଦଳର ବହୁ ନେତା ମଧ୍ୟ ସାମିଲ ହେବେ।

ସମ୍ବନ୍ଧିତ ଖବର