ପାଟନା: ଆସନ୍ତା ୩୦ ତାରିଖ ବିହାରର ଦୁଇଟି ବିଧାନସଭା ଆସନ ତାରାପୁର ଓ କୁଶରେଶ୍ବରସ୍ଥାନରେ ଉପନିର୍ବାଚନ ହେବାକୁ ଯାଉଛି। ଭୋଟ ତାରିଖ ଯେତେ ପାଖେଇଆସୁଛି ମହାମେଣ୍ଟର ଦୁଇ ପ୍ରମୁଖ ଅଂଶୀଦାର ଦଳ ଆର୍ଜେଡି ଓ କଂଗ୍ରେସ ମଧ୍ୟରେ ତୁତୁମେଁମେଁ ବଢ଼ିବାରେ ଲାଗିଛି। ପାରମ୍ପରିକ କଂଗ୍ରେସ ଆସନ କୁଶରେଶ୍ବରସ୍ଥାନରେ ମହାମେଣ୍ଟ ପକ୍ଷରୁ କଂଗ୍ରେସକୁ ଲଢ଼ିବାକୁ ସୁଯୋଗ ଦେବା ପାଇଁ ରାଜ୍ୟର ଏଆଇସିସି ପ୍ରଭାରୀ ତଥା ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ ଅଡ଼ିବସିବା ପରେ ଆକ୍ଷେପ-ପ୍ରତିଆକ୍ଷେପ ଜାରି ରହିଛି।
ସୂଚନାଯୋଗ୍ୟ, ଉକ୍ତ ମହାମେଣ୍ଟରେ ଆଉ କଂଗ୍ରେସ ନାହିଁ ବୋଲି ଗତ ଶୁକ୍ରବାର ଭକ୍ତ ଦାସ କହିବା ସହ ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ରାଜ୍ୟରେ ଏକାକୀ ୪୦ଟି ଯାକ ଆସନରେ ଲଢ଼ିବା ପ୍ରକ୍ରିୟା ଆରମ୍ଭ ହେଲା ବୋଲି ସ୍ପଷ୍ଟ କରିବା ପରେ ଆର୍ଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଯଦି କଂଗ୍ରେସକୁ ଆର୍ଜେଡି ମାତ୍ର ଗୋଟିଏ ଆସନ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ, କଂଗ୍ରେସ କେମିତି ଉକ୍ତ ମହାମେଣ୍ଟରେ ରହିପାରିବ ବୋଲି ଭକ୍ତ ପ୍ରଶ୍ନ କରିଥିଲେ। ବିଜେପି ସହ ଆର୍ଜେଡିର ଭିତିରି ସମ୍ପର୍କ ଥିବା ଏହା ସ୍ପଷ୍ଟ କରୁଛି ବୋଲି ଭକ୍ତ ଅଭିଯୋଗ କରିବା ସହ ଅନ୍ୟ ସମଭାବାପନ୍ନ ଦଳଗୁଡ଼ିକୁ କଂଗ୍ରେସ ସହ ରହିବାକୁ ଆହ୍ବାନ ଦେଇଥିଲେ। ପ୍ରତିକ୍ରିୟାରେ ଆର୍ଜେଡି ରାଜ୍ୟ ସଭାପତି ଜଗଦାନନ୍ଦ ସିଂହ ତାଙ୍କ ଦଳ ମେଣ୍ଟଧର୍ମ ପାଳନ କରିଆସିଛି ଓ ଏବେ ବି ମହାମେଣ୍ଟର ଅଂଶବିଶେଷ ବୋଲି କହିଥିଲେ। ନିକଟ ଭବିଷ୍ୟତରେ ଦେଶରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନର ସମ୍ଭାବନା ନଥିବା ବେଳେ କଂଗ୍ରେସ ନେତାମାନେ କାହିଁକି ଏପରି ଅଭିଳାଷ ପୋଷଣ କରୁଛନ୍ତି େସ ନେଇ ଶ୍ରୀ ସିଂହ ତାତ୍ସଲ୍ୟ କରିଥିଲେ। ସେହିପରି ବିହାରର ତୃଣମୂଳ ରାଜନୀତି ବିଷୟରେ ଅଜ୍ଞ ଥିବା ଭକ୍ତ ଦାସଙ୍କ ଅଯଥା ଟିପ୍ପଣୀ କଂଗ୍ରେସକୁ ଧ୍ବଂସ କରିବ ବୋଲି ଆର୍ଜେଡି ମୁଖପାତ୍ର ମୃତ୍ୟୁଂଜୟ ତିୱାରୀ କହିବା ପରେ ଦୁଇ ଦଳ ମଧ୍ୟରେ ବିବାଦ ଆହୁରି ବଢ଼ିଥିଲା।
କହ୍ନେୟା କୁମାର, ଜିଗ୍ନେଶ ମେୱାନୀ ଓ ହାର୍ଦ୍ଦିକ ପଟେଲ ପ୍ରମୁଖଙ୍କୁ ଦଳକୁ ସ୍ବାଗତ କରାଯିବା ପାଇଁ ଆୟୋଜିତ ସଭାରେ ଆର୍ଜେଡିକୁ କଂଗ୍ରେସ ପକ୍ଷରୁ କଡ଼ା ଜବାବ ଦେବା ଦେଖାଯାଇଥିଲା। ଭକ୍ତ ଦାସଙ୍କୁ ସମାଲୋଚନାର ଉତ୍ତରରେ ଯୁବନେତା କହ୍ନେୟା କୁମାର ପାଲଟା କହିଥିଲେ, ଶ୍ରୀ ଦାସ ହେଉଛନ୍ତି କଂଗ୍ରେସର ସେଇ କେତେଜଣ ନେତାଙ୍କ ମଧ୍ୟରେ ଅନ୍ୟତମ ଯାହାଙ୍କ ଉପସ୍ଥିତି ତାଙ୍କ ଭଳି ଯୁବନେତାଙ୍କୁ କଂଗ୍ରେସକୁ ଟାଣିଆଣିଛି। ଏକଦା ସମାଜବାଦୀ ଆନ୍ଦୋଳନରେ ଥିବା ଶ୍ରୀ ଦାସ ସ୍ବର୍ଗତ ଚନ୍ଦ୍ରଶେଖରଙ୍କ ମନ୍ତ୍ରିମଣ୍ଡଳରେ ଥିଲେ। ଆଦିବାସୀଙ୍କ ହକ୍ ପାଇଁ ଲଢ଼ି ସେ ୫୦ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଧ୍ୟ ବାତିଲ କରାଇଦେଇଥିଲେ। ଅନ୍ୟ ପକ୍ଷରେ ଭକ୍ତ ଦାସଙ୍କ ପ୍ରତି ଦିଲ୍ଲୀଠାରେ ଆର୍ଜେଡି ସୁପ୍ରିମୋ ଲାଲୁପ୍ରସାଦ ଗତକାଲି ଅପଶବ୍ଦ ପ୍ରୟୋଗ କରିବା ଦ୍ବାରା ଦୁଇ ଦଳ ମଧ୍ୟରେ ବିବାଦ ଘନିଭୂତ ହୋଇଛି। ଲାଲୁ ପାଲଟା ପ୍ରଶ୍ନ କରି କହିଛନ୍ତି, କଂଗ୍ରେସକୁ ଆସନ ଛାଡ଼ିଲେ କ’ଣ ଲାଭ? କଂଗ୍ରେସ ହାରିବ ତ ହାରିବ, ଅମାନତ ମଧ୍ୟ ରହିବନି। ଭକ୍ତ ଦାସ ଜଣେ ଭକ୍ଚୋନ୍ହାର୍ (ନିର୍ବୋଧ) ବୋଲି କଟାକ୍ଷ କରିଥିଲେ।
ଭକ୍ତଙ୍କ ପ୍ରତି ବିହାରୀ ଭାଷାରେ ଲାଲୁଙ୍କ ଅପଶବ୍ଦ ପ୍ରୟୋଗର କଡ଼ା ସମଲୋଚନା କରିଛନ୍ତି ନୀତୀଶ କୁମାର ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟ ଅେଶାକ ଚୋୖଧୁରୀ। ଭକ୍ତ ଜଣେ ଦଳିତ ହୋଇଥିବାରୁ ଲାଲୁ ଏପରି ଅପଶବ୍ଦ ପ୍ରୟୋଗ କରିଛନ୍ତି। ନିକଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଭାରେ ତେଜସ୍ବୀଙ୍କ ଅନୁପସ୍ଥିତି ଆର୍ଜେଡିର ଦଳିତ-ବରୋଧୀ ଚିନ୍ତାଧାରାର ଆଉ ଏକ ପ୍ରମାଣ ବେଲି କଂଗ୍ରେସ ପକ୍ଷରୁ କହାଯାଇଛି। ଲାଲୁଙ୍କ ଏହି ଟିପ୍ପଣୀ ଦଳିତ ସମ୍ପ୍ରଦାୟର ଆତ୍ମସମ୍ମାନକୁ ବାଧା େଦଇଛି ବୋଲି ବରିଷ୍ଠ କଂଗ୍ରେସ ନେତ୍ରୀ ମୀରା କୁମାର କହିଛନ୍ତି।