ଲାଲୁଙ୍କୁ ସାଢ଼େ ୩ ବର୍ଷ ଜେଲ୍‌

ବିହାର ଗୋଖାଦ୍ୟ ଦୁର୍ନୀତି

ରାଞ୍ଚି: ବହୁ ଚର୍ଚ୍ଚିତ ବିହାରର ଗୋଖାଦ୍ୟ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ସାଢ଼େ ୩ ବର୍ଷ ଜେଲ୍‌ ଦଣ୍ଡ ହୋଇଛି। ଏଥି ସହିତ ସିବିଆଇର ସ୍ୱତନ୍ତ୍ର ଅଦାଲତ ଲାଲୁଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କାର ଜରିମାନା ଦଣ୍ଡାଦେଶ କରିଛନ୍ତି। ଏହି ମାମଲାରେ ଲାଲୁଙ୍କ ସହିତ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ୧୫ ଜଣଙ୍କ ମଧ୍ୟରୁ ଗତକାଲି ୯ ଜଣଙ୍କର ଦଣ୍ଡାଦେଶ ଶୁଣାଯାଇଥିଲା। ବାକି ଥିବା ଫୁଲ ଚାନ୍ଦ, ମହେଶ ପ୍ରସାଦ, ବେକ୍‌ ଜୁଲିଅସ୍‌, ସୁନୀଲ କୁମାର, ସୁଧୀର କୁମାର ଏବଂ ରାଜା ରାମଙ୍କୁ ମଧ୍ୟ ସ୍ୱତନ୍ତ୍ର ବିଚାରପତି ଶିବ ପାଲ ସିଂହ ଆଜି ସାଢ଼େ ୩ ବର୍ଷ କାରାବାସ ସହ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରିଛନ୍ତି। ଅପରପକ୍ଷେ, ସମ୍ପ୍ରତି ବିର୍ଶା ମୁଣ୍ଡା କେନ୍ଦ୍ରୀୟ ଜେଲ୍‌ରେ ଥିବା ଲାଲୁଙ୍କ ଜାମିନ ପାଇଁ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଲାଲୁଙ୍କ ଓକିଲ ପ୍ରଭାତ କୁମାର କହିଛନ୍ତି। ସେହିପରି ଅଦାଲତଙ୍କ ଏହି ରାୟରେ ପ୍ରତିକ୍ରିୟା ପ୍ରକାଶ କରି ଏହା ଦ୍ୱାରା ସେମାନେ ଆଦୌ ଦବିଯିବେ ନାହିଁ ବୋଲି ଲାଲୁଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜପ୍ରତାପ ଯାଦବ କହିଛନ୍ତି। ଦିନେ ନା ଦିନେ ତାଙ୍କ ପିତା ନିର୍ଦ୍ଦୋଷ ପ୍ରମାଣିତ ହେବେ ଏବଂ ସେଥିପାଇଁ ନ୍ୟାୟପାଳିକା ଉପରେ ତାଙ୍କର ଭରସା ଅଛି ବୋଲି ତେଜପ୍ରତାପ କହିଛନ୍ତି।

ସୂଚନା ଥାଉ କି, ଅଶୀ ଏବଂ ନବେ ଦଶକରେ ବିହାରର ଏହି ଗୋଖାଦ୍ୟ ଦୁର୍ନୀତି ସଂକ୍ରାନ୍ତରେ ୫୦ରୁ ଅଧିକ ମାମଲା ରୁଜୁ ହୋଇଛି। ଦୀର୍ଘ ୨୦ ବର୍ଷ ଧରି ଗୋସମ୍ପଦ ପାଇଁ ଖାଦ୍ୟ ଏବଂ ଔଷଧ କିଣିବା ଆଳରେ ସରକାରୀ ତହବିଲରୁ ୯୫୦ କୋଟିର ବାଟମାରଣା ହୋଇଥିବା ଅଭିଯୋଗ ହୋଇଥିଲା। ୧୯୯୬ ମସିହାରୁ ସିିବିଆଇ ମାମଲାଗୁଡ଼ିକର ତଦନ୍ତ ଜାରି ରଖିଥିବା ବେଳେ ସେହି ୫୦ ମାମଲା ଭିତରୁ ଛଅଟିରେ ଲାଲୁ ଅଭିଯୁକ୍ତ ଅଛନ୍ତି। ଆଜି ଦ୍ୱିତୀୟ ମାମଲାର ଦଣ୍ଡବିଧାନ ହୋଇଛି।

ଏହି ଦ୍ୱିତୀୟ ମାମଲାର ବିବରଣୀ ଅନୁଯାୟୀ, ୧୯୯୧ରୁ ୧୯୯୪ ଭିତରେ ଦେଓଘର ଟ୍ରେଜେରିରୁ ଜାଲ୍‌ କାଗଜପତ୍ରରେ ୮୯ଲକ୍ଷ ୨୭ ହଜାର ଟଙ୍କା ଉଠାଯାଇଥିଲା। ଲାଲୁ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଥିବା ବେଳେ ଦୁର୍ନୀତି ସଂକ୍ରାନ୍ତ ଏକ ଦସ୍ତାବିଜ୍‌କୁ ଦୀର୍ଘ ୧୬ ମାସ କାଳ ଚାପି ରଖି ଯାଞ୍ଚ ହେବାର ସୁଯୋଗ ଦେଇନଥିଲେ। ଏପରିକି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ଆପତ୍ତି ସତ୍ତ୍ୱେ ସେ ଏଥି ସହ ସଂପୃକ୍ତ ୩ ଜଣ ଅଧିକାରୀଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରିଥିଲେ। ସୁତରାଂ ଲାଲୁ ଏହି ଦୁର୍ନୀତି ସମ୍ପର୍କରେ ଅବଗତ ଥାଇ ଏପରି ହରିଲୁଟ୍‌କୁ ପ୍ରଶ୍ରୟ ଦେଇଥିଲେ ବୋଲି ସିବିଆଇ ଅଭିଯୋଗ ଆଣିଥିଲା। ରାଞ୍ଚି ସ୍ଥିତ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଗତମାସ ୨୩ ତାରିଖରେ ଲାଲୁଙ୍କ ସମେତ ୧୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏହି ମାମଲାରେ ବିହାରର ଅନ୍ୟତମ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଜଗନ୍ନାଥ ମିଶ୍ରଙ୍କ ସମେତ ଅନ୍ୟ ଛଅ ଜଣଙ୍କୁ ଦୋଷମୁକ୍ତ କରିଥିଲେ। ପୂର୍ବରୁ ୨୦୧୩ ସେପ୍ଟେମ୍ବରରେ ପ୍ରଥମ ମାମଲାର ରାୟ ପରେ ଲାଲୁ ଦୁଇ ମାସ କାରାବାସ କାଟି ଜାମିନରେ ମୁକୁଳିଛନ୍ତି। ତେବେ ସେହି ମାମଲାରେ ସେ ସଂସଦ ସଦସ୍ୟତା ହରାଇବା ସହ ୧୧ ବର୍ଷ ଯାଏ ନିର୍ବାଚନ ଲଢ଼ିବାରୁ ବଞ୍ଚିତ ହୋଇଛନ୍ତି।

ମୁକ୍ତାକାଶ ଜେଲ୍‌ ଠିକ୍‌ ରହିବ

ରାଞ୍ଚି: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତ ଦଣ୍ଡାଦେଶ ଶୁଣାଇବା ବେଳେ ତୀବ୍ର କଟାକ୍ଷ କରିଛନ୍ତି। ସିବିଆଇ ବିଚାରପତି ଶିବପାଲ ସିଂହ ଲାଲୁଙ୍କୁ ଉଦ୍ଦେଶ୍ୟ କରି କହିଥିଲେ- ଏଭଳି ଦୋଷୀମାନଙ୍କ ପାଇଁ ମୁକ୍ତାକାଶ ଜେଲ୍‌ ଠିକ୍‌ ରହିବ। କାରଣ ସେମାନଙ୍କର ଗୋପାଳନରେ ଭଲ ଅନୁଭବ ରହିଛି। ଦିନକ ତଳେ ଦଣ୍ଡାଦେଶ ଶୁଣାଣି ସଂକ୍ରାନ୍ତରେ ଲାଲୁ କୋର୍ଟରେ ହାଜର ହେବାବେଳେ ମଧ୍ୟ ତାଙ୍କର ସ୍ୱଭାବ ସୁଲଭ ପରିହାସ କରିବାକୁ ଭୁଲିନଥିଲେ। ଲାଲୁ ବିଚାରପତିଙ୍କୁ କହିଥିଲେ ଆପଣ ଚାପ ଭିତରେ ବି ମୁଣ୍ଡ ଥଣ୍ଡା ରଖି କାମ କରନ୍ତୁ, କିନ୍ତୁ ଜେଲ୍‌ରେ ବହୁତ ଥଣ୍ଡା ହେଉଛି। ଏଥିରେ ବିଚାରପତି କହିଥିଲେ ଆପଣ ତବଲା ବଜାଇବା ଆରମ୍ଭ କରିଦିଅନ୍ତୁ। ଏହାପରେ ଲାଲୁ କହିଥିଲେ ଯେ ତାଙ୍କ ସେଲ୍‌ରେ ଜଣେ ସମଲିଙ୍ଗୀଙ୍କୁ ମଧ୍ୟ ରଖାଯାଇଛି ଏବଂ ସେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ଲାଲୁଙ୍କ ଏହି ମନ୍ତବ୍ୟରେ କୋର୍ଟ ରୁମ୍‌ ହସରେ ଉଚ୍ଛୁଳି ଉଠିଥିଲା।

ସମ୍ବନ୍ଧିତ ଖବର