ନୂଆଦିଲ୍ଲୀ: ରାଞ୍ଚିର ସିବିଆଇ କୋର୍ଟ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଡୋରଣ୍ଡା ଟ୍ରେଜେରିରୁ ୧୩୯କୋଟି ଟଙ୍କା ବେଆଇନ ଉଠାଣ କରିଥିବା ମାମାଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଫେବ୍ରୁଆରି ୨୧ରେ ତାଙ୍କ ଦଣ୍ଡ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ଏହି ମାମଲାରେ କୋର୍ଟ ୨୪ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଏପର୍ଯ୍ୟନ୍ତ ଲାଲୁ ଯାଦବଙ୍କୁ ୯୫୦ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ସମ୍ବନ୍ଧୀୟ ୫ଟି ମାମଲା ମଧ୍ୟରୁ ୪ଟି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ୧୯୯୬ ମସିହାରେ ଯେତେବେଳେ କିଛି ସରକାରୀ କର୍ମଚାରୀ ନକଲି ଖର୍ଚ୍ଚ ରିପୋର୍ଟ ଦାଖଲ କରିଥିଲେ ସେତେବେଳେ ଏହି ପ୍ରସଙ୍ଗ ସାମ୍ନାକୁ ଆସିଥିଲା। ଡୋରଣ୍ଡା ଟ୍ରେଜେରିରୁ କୋଟି କୋଟି ଟଙ୍କା କଢ଼ା ଯାଇଥିଲା ଏବଂ ବିନା ଯାଞ୍ଚରେ ଜାଲିଆତି ହୋଇଥିବା ଖର୍ଚ୍ଚର ରିପୋର୍ଟ ଦର୍ଶାଯାଇଥିଲା।
ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ୧୯୭୦ ଦଶକର ମଧ୍ୟଭାଗରେ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ନିଜର ପ୍ରଥମ କାର୍ଯ୍ୟକାଳ ଶେଷ କରିଥିବା ଜଗନ୍ନାଥ ମିଶ୍ରା ମଧ୍ୟ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା।
୧୯୯୬ ମସିହାରେ ଯେତେବେଳେ ଏହି ମାମଲା ପଞ୍ଜୀକୃତ ହୋଇଥିଲା, ସେତେବେଳେ ୧୭୦ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏପର୍ଯ୍ୟନ୍ତ ଏମାନଙ୍କ ମଧ୍ୟରୁ ୫୫ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୭ଜଣ ଅଭିଯୁକ୍ତ ସରକାରୀ ସାକ୍ଷୀ ହୋଇଥିବା ବେଳେ କୋର୍ଟର ନିଷ୍ପତ୍ତି ଆସିବା ପୂର୍ବରୁ ଦୁଇ ଜଣ ନିଜ ଅପରାଧ ସ୍ୱୀକାର କରିଥିଲେ। ତେବେ ଏତେ ବର୍ଷ ମଧ୍ୟରେ ଆଜି ପର୍ଯ୍ୟନ୍ତ ୬ଜଣଙ୍କୁ ଗିରଫ କରାଯାଇପାରିନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ସ-119.jpg)