ନୂଆଦିଲ୍ଲୀ: ଏଇ ସପ୍ତାହରେ ଅନୁଷ୍ଠିତ ହେବାକୁ ଯାଉଥିବା ବଡ଼ପୁଅ ବାହାଘରରେ ଯୋଗ ଦେବା ପାଇଁ ଗୋଖାଦ୍ୟ ଦୁର୍ନୀତି ମାମଲାରେ କାରାଦଣ୍ଡ ଭୋଗୁଥିବା ଆର୍ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ଆଜି ୫ ଦିନ ସକାଶ ପାରୋଲ୍ ମଞ୍ଜୁର ହୋଇଥିବା କଥା ଜଣେ ଓକିଲ ତଥା ତାଙ୍କର ଘନିଷ୍ଠ ସହଯୋଗୀ କହିଛନ୍ତି।
ତିନିଟି ଗୋଖାଦ୍ୟ ଦୁର୍ନୀତି ଅଭିଯୋଗରେ ଗତ ଡିସେମ୍ବର ମାସରେ ରାଞ୍ଚି ଅନ୍ତର୍ଗତ ସିବିଆଇ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ଅସୁସ୍ଥ ଥିବାରୁ ସମ୍ପ୍ରତି ଝାଡ଼ଖଣ୍ଡର ରାଜଧାନୀରେ ଥିବା ଆର୍ଆଇଏମ୍ଏସ୍ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଆଜି ବିମାନ ଯୋଗେ ସେ ପାଟନା ଯିବେ।
ପୂର୍ବତନ ରାଜ୍ୟ ମନ୍ତ୍ରୀ ତଥା ଏବକାର ବିଧାୟକ ତାଙ୍କ ପୁଅ ତେଜପ୍ରତାପ ଯାଦବ ପାଟନା ଠାରେ ମେ’ ୧୨ ତାରିଖ ଦିନ ଦଳର ବିଧାୟକ ଚନ୍ଦ୍ରିକା ରାୟଙ୍କ କନ୍ୟା ଐଶ୍ୱର୍ଯ୍ୟାଙ୍କୁ ବିଭା ହେଉଛନ୍ତି।
ଝାଡ଼ଖଣ୍ଡ ହାଇକୋର୍ଟରେ ଶୁକ୍ରବାର ଦିନ ଆଡ୍ଭୋକେଟ୍ଙ୍କ ଆନ୍ଦୋଳନ ଯୋଗୁଁ ଲାଲୁଙ୍କ ପ୍ରୋଭିଜ୍ନାଲ୍ ବେଲ୍ ଆବେଦନର ଶୁଣାଣି ହୋଇ ନ ପାରିବାରୁ ପାରୋଲ୍ ଆବେଦନ କରାଯାଇଥିଲା।