ରାଞ୍ଚି : ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ରାଞ୍ଚିର ସ୍ବତନ୍ତ୍ର ସିବିଆଇ ଅଦାଲତ ସୋମବାର ଦିନ ୬୦ ଲକ୍ଷ ଟଙ୍କାର ଜରିମାନା ସହ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଗତ ୧୫ ତାରିଖରେ ଲାଲୁଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯିବା ପରେ ତାଙ୍କୁ ବିର୍ସା ମୁଣ୍ଡା କେନ୍ଦ୍ରୀୟ କାରଗାରକୁ ପଠାଇ ଦିଆଯାଇଥିଲା। ତାହା ପରେ ତାଙ୍କୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ରିମ୍ସ)କୁ ଚିକିତ୍ସା ପାଇଁ ପଠାଯାଇଥିଲା। ଉକ୍ତ ମାମଲାରେ ପ୍ରଥମେ ୧୭୦ ଜଣ ଅଭିଯୁକ୍ତ ଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କର ମୃତ୍ୟୁ ହୋଇଯାଇଛି।
୨୦୧୩ରେ ସେ ଗୋଖାଦ୍ୟଦୁର୍ନୀତି ମାମଲାରେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଦ୍ବିତୀୟ ମାମଲାରେ ୨୦୧୭ରେ, ତୃତୀୟ ଏବଂ ଚତୁର୍ଥ ମାମଲାରେ ୨୦୧୮ ଜାନୁଆରି ଏବଂ ମାର୍ଚ୍ଚରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଏସବୁ ମାମଲାରେ ଲାଲୁ ଜାମିନ ପାଇସାରିଛନ୍ତି। ପଞ୍ଚମ ତଥା ଚୂଡ଼ାନ୍ତ ମାମଲାରେ ଆଜି ତାଙ୍କୁ ଦଣ୍ଡାଦେଶ ମିଳିଛି। ରାୟ ପ୍ରକାଶ ପରେ ଲାଲୁଙ୍କ ଲିଗାଲ ଟିମ୍ କହିଛନ୍ତି ଯେ ସେମାନେ ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିବେ। ଏହି ମାମଲାରେ ମଧ୍ୟ ତାଙ୍କୁ ଜାମିନ ମିଳିଯିବ ବୋଲି ସେମାନେ କହିଛନ୍ତି। ଏବେ ଲାଲୁ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।