ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁ ଦୋଷୀ ସାବ୍ୟସ୍ତ, କୋର୍ଟରୁ ସିଧା ଯିବେ ଜେଲ

୨୧ ବର୍ଷ ପରେ ରାୟ, ୭ ଜଣ ଦୋଷୀ ସାବ୍ୟସ୍ତ

ପାଟନା/ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ମାମଲା ଅନ୍ତର୍ଗତ ଦେଓଘର କୋଷାଗାର ମାମଲାରେ ଶନିବାର ସିବିଆଇର ସ୍ୱତନ୍ତ୍ର କୋର୍ଟରେ ଜଜ ଶିବପାଳ ସିଂହ ଏହି ମାମଲାର ରାୟ ଶୁଣାଇଛନ୍ତି। ଲାଲୁଙ୍କୁ ଗୋଟିଏ ମାମଲାରେ ଭାରତୀୟ ଦଣ୍ଡ ସଂହିତା ଧାରା ୪୦୭, ୪୬୭, ୪୬୮, ୪୦୯ ଆଦିରେ ଦୋଷୀ ସାବ୍ୟସ୍ତ କରାଯାଇଛି। ରାୟ ପ୍ରକାଶ ପାଇବା ପରେ ଲାଲୁ ପ୍ରସାଦ ଯାଦବ ସିଧା ରାଞ୍ଚି ଜେଲ ଯିବେ। ତେବେ୨୦୧୮ ଜାନୁଆରି ୩ ତାରିଖ ଦିନ ଲାଲୁଙ୍କୁ ଦଣ୍ଡ ଶୁଣାଯିବ।

ସୂଚନାଯୋଗ୍ୟ ୯୦୦ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତିରେ ଫସିଥିବା ଲାଲୁଙ୍କ ବିରୋଧରେ ୭ଟି ମାମଲା ରୁଜୁ ହୋଇଛି। ସେଥିରୁ ଗୋଟିଏ ମାମଲାରେ ୬ବର୍ଷ ଜେଲ ଦଣ୍ଡ ମିଳି ସାରିଛି। ଲାଲୁଙ୍କ ବିରୋଧରେ ଅନ୍ୟ ୫ଟି ମାମଲାରେ ଶୁଣାଣି ଜାରି ରହିଛି। ଲାଲୁ ପ୍ରସାଦ ଓ ତାଙ୍କର ପୁଅ ତେଜସ୍ୱୀ ଶନିବାର ସକାଳୁ କୋର୍ଟରେ ପହଞ୍ଚି ଥିଲେ କିନ୍ତୁ ରାୟ ୩ଟା ଆସିବାକୁ ଥିବାରୁ ସେମାନେ ଅତିଥି ଭବନରେ ଅଟକିଥିଲେ।

ମାମଲାର ଶୁଣାଣି ସିବିଆଇ କୋର୍ଟରେ ୧୯୯୬ରୁ ଚାଲିଛି। ସିବିଆଇ ୧୦୦ରୁ ଅଧିକ ସାକ୍ଷୀଙ୍କ ବୟାନ ରେକର୍ଡ କରି ସାରିଛି। ଅନେକ କାଗଜପତ୍ର କୋର୍ଟରେ ଦାଖଲ କରିଛି। ଅଭିଯୁକ୍ତଙ୍କ ତରଫରୁ ମଧ୍ୟ ସାକ୍ଷୀମାନେ ବୟାନ ଦେଇଛନ୍ତି। ଉଭୟ ପକ୍ଷରୁ ସାକ୍ଷୀମାନଙ୍କ ବୟାନ ଶୁଣାଯିବା ପରେ ରାୟ ପାଇଁ ତାରିଖ ନିର୍ଦ୍ଦିଷ୍ଟ ହୋଇଛି।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ଶୁଣାଣି ପୂର୍ବରୁ ଲାଲୁଙ୍କୁ ୨୨ ଅଭିଯୁକ୍ତଙ୍କ ସହିତ କୋର୍ଟରେ ଉପସ୍ଥିତ ରହିବାକୁ ଆଦେଶ ଦିଆଯାଇଥିଲା। ରାଞ୍ଚି ପୁଲିସ ହୋଟଓ୍ଵାରସ୍ଥିତ ବର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲ ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଥିଲା। ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇ ଏହି ଅଞ୍ଚଳରେ ପୁଲିସକୁ ହାଇ ଆର୍ଲଟ କରାଯାଇଛି। ଅପରପକ୍ଷେ ଲାଲୁ ବହୁ ସଂଖ୍ୟାରେ ସମର୍ଥକଙ୍କ ସହିତ କୋର୍ଟ ପହଞ୍ଚି ଥିଲେ। କୋର୍ଟ ଭିତରେ ମାମଲାର ଶୁଣାଣି ଚାଲିଥିବା ବେଳେ ସମର୍ଥକମାନେ ବାହାରେ ସ୍ଲୋଗାନ ଦେଉଥିଲେ।

ରାୟ ପୂର୍ବରୁ ଲାଲୁ…

ନ୍ୟାୟିକ ବ୍ୟବସ୍ଥା ପ୍ରତି ବିଶ୍ୱାସ ଅଛି: ଲାଲୁ

ରାଞ୍ଚିର ରେଳବାଇ ଅତିଥି ଭବନରେ ଲାଲୁ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥା ପ୍ରତି ମୋର ବିଶ୍ୱାସ ଅଛି। ସମସ୍ତଙ୍କୁ ନ୍ୟାୟ ମିଳୁଛି, ଆମକୁ ମଧ୍ୟ ମିଳିବ। ଗୋଟିଏ କୁକୁଡ଼ାକୁ ୯ ଥର ହତ୍ୟା କରାଯାଉଛି। ଓକିଲ ସମସ୍ତ ପ୍ରମାଣପତ୍ର କୋର୍ଟଙ୍କୁ ଦେଇଛନ୍ତି, ଯାହାକି ଦୋଷମୁକ୍ତ କରିବା ପାଇଁ ଯଥେଷ୍ଟ। ପୂର୍ବରୁ ଲାଲୁ ଶୁକ୍ରବାର ରାଞ୍ଚି ବିମାନବନ୍ଦରରେ କହିଥିଲେ, ଯଦି ମୁଁ କାହାଠାରୁ ଟଙ୍କା ନେଇଛି, ସିବିଆଇ ପ୍ରମାଣିତ କରୁ। କେଉଁ କାରଣରୁ ସିବିଆଇ ମୋତେ ଦଣ୍ଡ ଦେବାକୁ ଚାହୁଁଛି। ଗତ ୨୦ ବର୍ଷ ହେବ ମୋତେ ହଇରାଣ କରାଯାଉଛି। ଟୁ-ଜୀ ଭଳି ଏହି ମାମଲାର ମଧ୍ୟ ରାୟ ପ୍ରକାଶ ପାଇବ।

ଗୋଖାଦ୍ୟ ଦୁର୍ନୀତି ସହିତ ସଂପୃକ୍ତ ଥିବା ବ୍ୟକ୍ତି
ଗୋଖାଦ୍ୟ ଦୁର୍ନୀତି ସହିତ ଲାଲୁ ପ୍ରସାଦ ଓ ଡା. ଜଗନ୍ନାଥ ମିଶ୍ରଙ୍କ ବ୍ୟତୀତ ବିହାରର ପୂର୍ବତନ ମନ୍ତ୍ରୀ ବିଦ୍ୟାସାଗର ନିଷାଦ, ଜଗଦୀଶ ଶର୍ମା, ଆରକେ ରାଣା, ଧ୍ରୁବ ଭଗତ, ଫୁଲଚନ୍ଦ୍ର ସିଂହ, ମହେଶ ପ୍ରସାଦ, ବେକ ଜୁଲିୟସ, ଏସି ଚୌଧୁରୀ, ଡା କୃଷ୍ଣ କୁମାର ପ୍ରସାଦ, ସୁଧୀର ଭଟ୍ଟାଚାର୍ଯ୍ୟ, ତ୍ରିପୁରାରୀ ମୋହନ ପ୍ରସାଦ, ସଞ୍ଜୟ ଅଗ୍ରଓ୍ଵାଲ, ଜ୍ୟୋତି ଝା, ଗୋପୀନାଥ ଦାସ, ସୁନିଲ ଗାନ୍ଧି, ସରସ୍ୱତୀ ଚନ୍ଦ୍ର, ସାଧନା ସିଂହ, ରାଜାରାମ ଜୋଶୀ ଓ ସୁଶୀଲ କୁମାରଙ୍କୁ ଅଭିଯୁକ୍ତ କୁହାଯାଉଛି। କୋଟଁ ଏମାନଙ୍କ ମଧ୍ୟରୁ ୭ ଜଣଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।

ଆରଜେଡି ସୁପ୍ରିମୋଙ୍କ ପଦର ଦୂରୁପଯୋଗ ଅଭିଯୋଗ
ବିହାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଲାଲୁ ପ୍ରସାଦଙ୍କ ଉପରେ ଅଭିଯୋଗ ଅଛି ଯେ, ସେ ପଦର ଦୂରୁପଯୋଗ କରିଛନ୍ତି। ତଦନ୍ତ ପାଇଁ ଆସିଥିବା ଫାଇଲକୁ ୧୯୯୪ ଜୁଲାଇ ୫ରୁ ୧୯୯୬ ଫେବ୍ରୁଆରୀ ୧ ପର୍ଯ୍ୟନ୍ତ ଅଟକାଇ ଦିଆଯାଇଥିଲା। ପରେ ପୁଣି ୧୯୯୬ ଫେବ୍ରୁଆରୀ ୨ରେ ତଦନ୍ତ ପାଇଁ ଆଦେଶ ଦିଆଯାଇଥିଲା।

କେମିତି ହୋଇଥିଲା ଗୋଖାଦ୍ୟ ଦୁର୍ନୀତି?
ଗୋଖାଦ୍ୟରେ ୯୦୦ କୋଟି ଟଙ୍କାର ଅନିୟମିତତା ଅଭିଯୋଗ ହୋଇଛି। ଦେଓଘରସ୍ଥିତ ଟ୍ରେଜେରି(କୋଷାଗାର)ରେ ବେଆଇନ ଭାବରେ ୧୯୯୧ରୁ ୧୯୯୪ ମଧ୍ୟରେ ୬ଟି ନକଲି ଆବଣ୍ଟନ ପତ୍ରରୁ ୮୯,୦୪,୪୧୩ ଟଙ୍କା ବାହାର କରାଯାଇଛି। ବିହାର ସରକାରଙ୍କ ତରଫରୁ ଗୋଖାଦ୍ୟ ଓ ଔଷଧ ପାଇଁ କେବଳ ୪ଲକ୍ଷ ୭ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଚାଇଁବସା କୋଷାଗାରରୁ ଅସାଧୁ ଉପାୟ ଅବଲମ୍ବନ କରି ଟଙ୍କା ଉଠାଣକୁ ନେଇ ଲାଲୁ ଯାଦବଙ୍କୁ ଦଣ୍ଡ ହୋଇ ସାରିଛି। ଲାଲୁ ୧୯୯୭ରେ ପ୍ରଥମ ଥର ପାଇଁ ଜେଲ ଯାଇଥିଲେ। ସେହି ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର