ମୋ ବାପା କଣ କେବଳ ଦୁର୍ନୀତି କରୁଛନ୍ତି କି? ପ୍ରଶ୍ନ କଲେ ଲାଲୁଙ୍କ ପୁଅ

ପାଟନା: ଗୋଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଡୋରଣ୍ଡା ତହବିଲ୍‌ (ଟ୍ରେଜେରି) ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଆଜି ୫ ବର୍ଷ ଜେଲ୍‌ ଓ ୬୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଆଜି ‘ସିବିଆଇ’ର ଏକ ସ୍ବତନ୍ତ୍ର ଅଦାଲତ ଏହି ମାମଲାରେ ଗତ ସପ୍ତାହରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶ ଶୁଣାଇଥିଲେ। ଝାଡ଼ଖଣ୍ଡର ଡୋରଣ୍ଡା ତହବିଲ୍‌ରୁ ଏହି ଗୋଖାଦ୍ୟ ଦୁର୍ନୀତି ମାମଲାରେ ବେଆଇନ ଭାବେ ୩୯.୩୫ କୋଟି ଟଙ୍କା ଉଠାଯାଇଥିଲା। ଏଥିପାଇଁ ଗତ ସପ୍ତାହରେ ‘ସିବିଆଇ’ ଅଦାଲତ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ତେବେ ଏହାକୁ ନେଇ ଲାଲୁଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜସ୍ୱୀ କହିଛନ୍ତି ଦେଶରେ କଣ କେବଳ ଗୋଖାଦ୍ୟ ଦୁର୍ନୀତି ଛଡା ଆଉ କିଛି ଦୁର୍ନୀତି ହୋଇନାହିଁ | ତେଜସ୍ୱୀ କହିଛନ୍ତି ଯେ କେବଳ ବିହାରରେ ୮୦ରୁ ଅଧିକ ଦୁର୍ନୀତି ହୋଇଛି କିନ୍ତୁ ସିବିଆଇ, ଇଡି ଏବଂ ଏନଆଇଏ କେଉଁଠାରେ ଅଛନ୍ତି? ଦେଶରେ କେବଳ ଗୋଟିଏ ଦୁର୍ନୀତି ହେଉଛି କି ଏବଂ କେବଳ ଜଣେ ନେତା ଅଛନ୍ତି କି?

ତେଜସ୍ୱୀ ଆହୁରି ମଧ୍ୟ କହିଛନ୍ତି ଯେ ସିବିଆଇ ବିଜୟ ମାଲ୍ୟା, ନିରବ ମୋଦୀ, ମେହୁଲ ଚୋକସିଙ୍କୁ ଭୁଲି ଯାଇଛି। ସେ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଅଛନ୍ତି। ତେଜସ୍ୱୀ କହିଛନ୍ତି ଯେ ଆମେ ଏହି ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବୁ ଏବଂ ଆଶା କରୁଛୁ ସେଠାରୁ ନିମ୍ନ ଅଦାଲତର ନିଷ୍ପତ୍ତି ବଦଳିଯିବ।

ସମ୍ବନ୍ଧିତ ଖବର