ଲାଲୁଙ୍କ ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟିଲା:ମୋଦିଙ୍କୁ ଲାଲୁ ପୁଅଙ୍କ ଧମକ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁପ୍ରସାଦ ଯାଦବଙ୍କୁ ସରକାର ଯୋଗାଇଦେଇଥିବା ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେଇଛନ୍ତି। ବ୍ୟବସ୍ଥାରୁ ଏନ୍‌ଏସ୍‌ଜି କମାଣ୍ଡୋମାନଙ୍କୁ ହଟାଇ ନିଆଯାଇ ସୁରକ୍ଷାକୁ ‘ଜେଡ୍‌’ ସ୍ତରକୁ ଖସାଇ ଦିଆଯାଇଛି। ଫଳରେ ଲାଲୁଙ୍କ ସୁରକ୍ଷା ଦାୟିତ୍ୱ କେବଳ ସିଆର୍‌ପିଏଫ୍‌ ଯବାନମାନେ ବୁଝିବେ। ସେହିପରି ବିହାରର ଅନ୍ୟତମ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଜିତନ୍‌ ରାମ ମାଁଝିଙ୍କ ପାଇଁ ମଧ୍ୟ ଅନୁରୂପ ଭାବେ ‘ଜେଡ୍‌ ପ୍ଲସ୍‌’ ସୁରକ୍ଷାକୁ ଖସାଇ ‘ଜେଡ୍‌’ ସ୍ତରୀୟ କରାଯାଇଛି। ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ସୁରକ୍ଷା ଏବଂ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ପ୍ରତି ରହିଥିବା ଆଶୁ ବିପଦ ଆଶଙ୍କାର ତର୍ଜ୍ଜମା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଅପରପକ୍ଷେ, ସରକାରଙ୍କ ଏଭଳି ପଦକ୍ଷେପରେ ଲାଲୁଙ୍କ ପୁଅ ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜପ୍ରସାଦ ଯାଦବ କ୍ଷୁବ୍ଧ ହେବା ସହ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ ବାପାଙ୍କୁ ଜୀବନରେ ମାରିଦେବା ପାଇଁ ସରକାରଙ୍କର ଏହା ଏକ ଷଡ଼ଯନ୍ତ୍ର ବୋଲି ତେଜପ୍ରତାପ କହିଛନ୍ତି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୋଷାରେପ କରିବା ସହ ବାପାଙ୍କର କିଛି ଅଘଟଣ ହେଲେ ସେ ମୋଦିଙ୍କ ଚମଡ଼ା ଉତାରିଦେବେ ବୋଲି ଧମକ ଦେଇଛନ୍ତି।

ସମ୍ବନ୍ଧିତ ଖବର