କିଡ୍‌ନି ପ୍ରତିରୋପଣ ପାଇଁ ସିଙ୍ଗାପୁର ଗଲେ ଲାଲୁ

ପାଟନା : ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଶନିବାର ଦିନ ସିଙ୍ଗାପୁର ଯାଇଛନ୍ତି। ସାନ ପୁଅ ତେଜସ୍ବୀ ଯାଦବ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଲାଲୁ ଶନିବାର ସିଙ୍ଗାପୁର ଅଭିମୁଖେ ଯାତ୍ରା କରିଛନ୍ତି। ସିଙ୍ଗାପୁରରେ ଲାଲୁଙ୍କର କିଡନି ପ୍ରତିରୋପଣ ହେବ। ୭୪ ବର୍ଷୀୟ ଲାଲୁ ଗତ ମାସରେ କିଡନି ସମସ୍ୟା ପାଇଁ ସିଙ୍ଗାପୁରରେ ଚିକିତ୍ସା ହୋଇ ବିହାର ଫେରିଥିଲେ। ଡିସେମ୍ବର ପ୍ରଥମ ସପ୍ତାହରେ ଲାଲୁଙ୍କର କିଡନି ପ୍ରତିରୋପଣ ହେବ। ଏହା ପୂର୍ବରୁ ତାଙ୍କର ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ଚେକ୍‌ ଅପ୍‌ ଏବଂ ଟେଷ୍ଟ୍‌ କରାଯିବ।

ସିଙ୍ଗାପୁର ଯିବା ପୂର୍ବରୁ ତେଜସ୍ବୀ ଶନିବାର ଦିନ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଅପରେସନ ସଫଳ ହେବ ବୋଲି ଆମର ପୂର୍ଣ୍ଣ ବିଶ୍ବାସ ଅଛି ଏବଂ ଶୁଭ ଚିନ୍ତକମାନେ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ତାଙ୍କୁ କିଡନି ଦେବେ। ଇତିମଧ୍ୟରେ ଲାଲୁଙ୍କର ଅନ୍ୟ ଜଣେ ଝିଅ ମିସା ଭାରତୀଙ୍କୁ ସିଙ୍ଗାପୁର ଯିବାପାଇଁ କୋର୍ଟ ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର