ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ସୋମବାର ଜନସାଧାରଣ ଓ ଦଳୀୟ କର୍ମୀମାନଙ୍କୁ ଦଳର ଏକତା ଏବଂ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ଝିଅ ରୋହିଣୀଙ୍କ ବିସ୍ଫୋରକ ବୟାନ ପରେ ଲାଲୁ କହିଛନ୍ତି, ଏହା ଏକ ଆଭ୍ୟନ୍ତରୀଣ ପାରିବାରିକ ମାମଲା ଏବଂ ପରିବାର ମଧ୍ୟରେ ଏହାର ସମାଧାନ ହେବ।
ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଶନିବାର ତାଙ୍କ ପରିବାର ସହ ସମ୍ପର୍କ ତୁଟାଇବା ସହ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ। ୪୬ ବର୍ଷୀୟା ରୋହିଣୀ ତାଙ୍କର ଏଭଳି ଚରମ ନିଷ୍ପତ୍ତି ପାଇଁ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କ ସହଯୋଗୀ ରମିଜଙ୍କୁ ଦାୟୀ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନରେ ଆର୍ଜେଡି ମାତ୍ର ୨୫ଟି ଆସନ ପାଇଛି, ଯାହା ଏକ ଦଶନ୍ଧି ମଧ୍ୟରେ ବିହାର ନିର୍ବାଚନରେ ଦଳର ସବୁଠାରୁ ଖରାପ ପ୍ରଦର୍ଶନ। ରୋହିଣୀଙ୍କ ଅନ୍ୟ ତିନି ଭଉଣୀ ଚନ୍ଦା, ରାଗିଣୀ ଓ ହେମା ମଧ୍ୟ ରବିବାର ଅପରାହ୍ଣରେ ଲାଲୁଙ୍କ ଘରୁ ବାହାରି ଯାଇଥିଲେ।
ଡାକ୍ତର ଆଚାର୍ଯ୍ୟ ହେଉଛନ୍ତି ଲାଲୁ ପ୍ରସାଦ ଯାଦବଙ୍କ ଦ୍ୱିତୀୟ ଝିଅ ଏବଂ ଉଭୟ ତେଜସ୍ୱୀ ଓ ତେଜ ପ୍ରତାପ ଯାଦବଙ୍କ ବଡ଼ ଭଉଣୀ। ସେ ମଧ୍ୟ ପାଟଳିପୁତ୍ରର ଆର୍ଜେଡି ସାଂସଦ ମିସା ଭାରତୀଙ୍କ ସାନ ଭଉଣୀ। ଆଚାର୍ଯ୍ୟ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ରାଜୀବ ପ୍ରତାପ ରୁଡିଙ୍କଠାରୁ ପରାସ୍ତ ହୋଇଥିଲେ। ମିସା ଭାରତୀ ସୋମବାର ଦଳୀୟ ବୈଠକରେ ତାଙ୍କ ପିତାଙ୍କ ବାର୍ତ୍ତାକୁ ଦୋହରାଇଛନ୍ତି। ପାରିବାରିକ ସମସ୍ୟା ପରିବର୍ତ୍ତେ ଦଳକୁ ମଜଭୁତ କରିବା ଉପରେ ସେ ଜୋର ଦେଇଛନ୍ତି।
ନିର୍ବାଚନ ପୂର୍ବରୁ ବିହାର ଅଧିକାର ଯାତ୍ରା ସମୟରେ ପରିବାର ମଧ୍ୟରେ ତିକ୍ତତା ସ୍ପଷ୍ଟ ହୋଇଥିଲା, ଯେତେବେଳେ ରୋହିଣୀ ଆଚାର୍ଯ୍ୟ ତେଜସ୍ୱୀଙ୍କ ପରାମର୍ଶଦାତା ସଞ୍ଜୟ ଯାଦବଙ୍କୁ ତାଙ୍କ ପାଖରେ ଆଗ ସିଟ୍ରେ ବସିବାକୁ ବିରୋଧ କରିଥିଲେ। ନିର୍ବାଚନ ଫଳାଫଳ ଆସିବା ପରେ ରୋହିଣୀ ଏକ ଭାବପ୍ରବଣ ପୋଷ୍ଟ କରି ନଭେମ୍ବର ୧୫ରେ ରାଜନୀତି ଛାଡିବାକୁ ନିଷ୍ପତ୍ତି ଘୋଷଣା କରିଥିଲେ। ପରେ ସେ ଏହା ମଧ୍ୟ ଦାବି କରିଥିଲେ ଯେ ତାଙ୍କୁ ଅପମାନିତ କରାଯାଇଥିଲା, ଅଶ୍ଳୀଳ ଗାଳିଗୁଲଜ କରାଯାଇଥିଲା ଏବଂ ତାଙ୍କୁ ମାରିବା ପାଇଁ ଚପଲ ଉଠାଯାଇଥିଲା। ୨୦୨୫ ମେ ମାସରେ ଆର୍ଜେଡିରୁ ବହିଷ୍କୃତ ହୋଇଥିବା ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଜନଶକ୍ତି ଜନତା ଦଳ ଗଠନ କରିଥିଲେ। ସେ ମହୁଆରେ ପରାଜିତ ହେବା ପରେ ତେଜସ୍ୱୀଙ୍କୁ ସମାଲୋଚନା କରି ପରିବାର ମଧ୍ୟରେ ବିଭାଜନକୁ ନିର୍ବାଚନ ଫଳାଫଳ ସହିତ ଯୋଡିଥିଲେ। ଲାଲୁଙ୍କ ଭିଣୋଇ ସାଧୁ ଯାଦବ ମଧ୍ୟ ତେଜସ୍ୱୀଙ୍କ ଅହଂକାରକୁ ସମାଲୋଚନା କରିଛନ୍ତି। ସେ ରୋହିଣୀଙ୍କ ପ୍ରତି ବ୍ୟବହାରକୁ ଅନ୍ୟାୟ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/18/untitled-7-2025-11-18-06-50-59.jpg)