ଆରଏସଏସ ଉପରେ ବି ବ୍ୟାନ ଲଗାଇବାକୁ ଦାବି କଲେ ଲାଲୁ ଯାଦବ

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରାଳୟ ମଙ୍ଗଳବାର ସନ୍ଧ୍ୟାରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ପିଏଫ୍‌ଆଇ) ଉପରେ ୫ ବର୍ଷ ପାଇଁ ନିଷେଧାଜ୍ଞା ଜାରି କରିଛି। ଏଥି ସହିତ, ‘ପିଏଫ୍‌ଆଇ’ର ସହଯୋଗୀ ସଙ୍ଗଠନ ଯଥା-: ‘ରିହାବ୍‌ ଇଣ୍ଡିଆ ଫାଉଣ୍ଡେସନ୍‌’ (ଆର୍‌ଆଇଏଫ୍‌), ‘କ୍ୟାମ୍ପସ୍ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ସିଏଫ୍‌ଆଇ), ‘ଅଲ୍‌ ଇଣ୍ଡିଆ ଇମାମ୍‌ କାଉନ୍‌ସିଲ୍‌ (ଏଆଇଆଇସି), ‘ନ୍ୟାସ୍‌ନାଲ୍‌ କନ୍‌ଫେଡେରେସନ୍‌ ଅଫ୍‌ ହ୍ୟୁମାନ୍‌ ରାଇଟ୍‌ସ୍‌ ଅର୍ଗାନାଇଜେସନ୍‌’ (ଏନ୍‌ସିଏଚ୍‌ଆର୍‌ଓ), ‘ନ୍ୟାସ୍‌ନାଲ୍‌ ୱିମିନ୍‌ସ୍‌ ଫ୍ରଣ୍ଟ୍‌’, ‘ଜୁନିୟର୍‌ ଫ୍ରଣ୍ଟ୍‌’, ‘ଏମ୍ପାୱାର୍‌ ଇଣ୍ଡିଆ ଫାଉଣ୍ଡେସନ୍‌ ଆଣ୍ଡ୍‌ ରିହାବ୍‌ ଫାଉଣ୍ଡେସନ୍‌’, କେରଳ ଆଦିକୁ ମଧ୍ୟ ନିଷିଦ୍ଧ ଘୋଷଣା କରାଯାଇଛି। ତେବେ ପିଏଫଆଇ ଉପରେ ବ୍ୟାନ ଲଗାଯିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ଯାଦବ | ଲାଲୁ କହିଛନ୍ତି ଯେ ଆରଏସଏସକୁ ମଧ୍ୟ ବ୍ୟାନ କରାଯିବା ଉଚିତ। ଲାଲୁ ଯାଦବ କହିଛନ୍ତି ଯେ ଉଭୟ ପିଏଫଆଇ ଏବଂ ଆରଏସଏସର ତଦନ୍ତ କରାଯିବା ଉଚିତ। ମୋଦୀ ସରକାରଙ୍କୁ ଆକ୍ରମଣ କରି ସେ କହିଛନ୍ତି ଯେ ବେକାରୀ ଏବଂ ଦରବୃଦ୍ଧି କାରଣରୁ ଦେଶର ଅବସ୍ଥା ଆହୁରି ଖରାପ ହୋଇଛି। ଦେଶରେ ହିନ୍ଦୁ-ମୁସଲମାନ କୁହାଯାଇ କୁସଂସ୍କାର ବିସ୍ତାର କରିବାକୁ ଚେଷ୍ଟା କରାଯାଉଛି।

ଏଭଳି ସରକାରକୁ ହଟାଇବାକୁ ପଡିବ। କଂଗ୍ରେସ ନେତା କେ ସୁରେଶ ମଧ୍ୟ ସମାନ ବିବୃତ୍ତି ଦେଇ କହିଛନ୍ତି ଯେ ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବା ଯଥେଷ୍ଟ ନୁହେଁ। ସାମ୍ପ୍ରଦାୟିକତା ବିସ୍ତାର କରୁଥିବାରୁ ଆରଏସଏସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବା ଉଚିତ୍ | ସେହିପରି ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ ବିଧାୟକ ଏମ୍.କେ ମୁନିର ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ସିମିକୁ ମଧ୍ୟ ବ୍ୟାନ କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା। ଏଭଳି ପରିସ୍ଥିତିରେ କେବଳ ବ୍ୟାନ କରିବା ଠିକ୍ ପଦକ୍ଷେପ ନୁହେଁ। ସୂଚନା ଥାଉ କି ଯେ ଏନଆଇଏ ଏବଂ ଇଡି ଦୁଇଟି ପର୍ଯ୍ୟାୟରେ ପିଏଫଆଇ ଉପରେ ଚଢ଼ାଉ କରିଥିଲେ । ପ୍ରଥମ ପର୍ଯ୍ୟାୟରେରେ ୧୬ଟି ରାଜ୍ୟରେ ଚଢ଼ାଉ କରାଯାଇଥିଲା। ଏହା ପରେ ୧୦୬ ଜଣଙ୍କୁ ଗିରଫ କରାଯାଇଥିଲା। ପୁନର୍ବାର ମଙ୍ଗଳବାର ଦିନ ଏନଆଇଏ ୮ଟି ରାଜ୍ୟରେ ଚଢ଼ାଉ କରିଥିଲା । ଏଜେନ୍ସି ଏପରି ଅନେକ ସାମଗ୍ରୀ ପାଇଥିଲା, ଯାହା ସଂଗଠନର ଆତଙ୍କବାଦୀ ଲିଙ୍କକୁ ପ୍ରମାଣିତ କରିଥିଲା | ଏଥି ସହିତ, ପିଏଫଆଇ ଗତ କିଛି ବର୍ଷ ଧରି ଏଜେନ୍ସିର ରାଡାରରେ ଥିଲା | ବୁଧବାର ଏକ ବଡ ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ପିଏଫଆଇ ଏବଂ ଏହା ସହ ଜଡିତ ଆଠଟି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ସମ୍ବନ୍ଧିତ ଖବର