ନୂଆଦିଲ୍ଲୀ: ‘ଫିଟ୍’ ଥିବା କଥା ସ୍ବାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିବା ପରେ ମଙ୍ଗଳବାର ଦିନ ଦିଲ୍ଲୀସ୍ଥିତ ‘ଏମ୍ସ୍’କୁ ଅଣାଯାଇଥିବା ଲାଲୁ ପ୍ରସାଦ ଯାଦବଙ୍କୁ ରାତି ସାଢ଼େ ତିନିଟା ବେଳେ ଡିସ୍ଚାର୍ଜ କରାଯାଇଥିବା କଥା ହସ୍ପିଟାଲ୍ ସୂତ୍ରରୁ ଜଣାପଡ଼ିଛି।
ସେମାନେ କହିଛନ୍ତି, ‘ରାଷ୍ଟ୍ରୀୟ ଜନତା ଦଳ’ର ନେତା ୭୩ ବର୍ଷିୟ ଲାଲୁଙ୍କୁ ରାତି ପ୍ରାୟ ୩ଟା ବେଳେ ଡିସ୍ଚାର୍ଜ କରାଯିବା ପୂର୍ବରୁ ରାତି ସାରା ଜରୁରୀକାଳୀନ ବିଭାଗରେ ନିରୀକ୍ଷଣରେ ରଖାଯାଇଥିଲା।
ଗତ ରାତି ୯ଟା ବେଳେ ଲାଲୁ ପ୍ରସାଦ ଦିଲ୍ଲୀ ‘ଏମ୍ସ୍’ ଆସି ଜରୁରୀକାଳୀନ ବିଭାଗକୁ ଯାଇଥିଲେ। ପରୀକ୍ଷାନିରୀକ୍ଷା ପରେ ସେ ‘ଫିଟ୍’ (ସୁସ୍ଥ) ଥିବା ଜଣାପଡ଼ିବା ପରେ ରାତି ୩.୩୦ରେ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା। ପୂର୍ବରୁ ସେ ଚିକିତ୍ସିତ ହେଉଥିବା ରାଞ୍ଚିସ୍ଥିତ ‘ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’କୁ (ଆର୍ଆଇଆଇଏମ୍ଏସ୍) ଯିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି।
କିନ୍ତୁ, ‘ଆର୍ଜେଡି’ ଏହି ଘଟଣାକୁ ପକ୍ଷପାତିତା ଏବଂ ଡାକ୍ତରଖାନାର ଡିସ୍ଚାର୍ଜ ହେବା ସମୟ ଉପରେ ସନ୍ଦେହ ପ୍ରକାଶ କରିଛି।
‘ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ର (ଆର୍ଆଇଆଇଏମ୍ଏସ୍) ନିର୍ଦେଶକ କାମେଶ୍ବର ପ୍ରସାଦ କହିଥିଲେ ଯେ, ଲାଲୁଙ୍କ ହୃତ୍ପିଣ୍ଡ୍ ଏବଂ ବୃକ୍କରେ ସମସ୍ୟା ଅଛି। ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ଦିଲ୍ଲୀସ୍ଥିତି ‘ଏମ୍ସ୍’କୁ ନିଆଯାଉଛି। ଜେଲ୍ ଅଧିକାରୀମାନେ ତାରିଖ ସ୍ଥିର କରିବେ।
ଗୋଖାଦ୍ୟ ଦୁର୍ନୀତିରେ ଡୋରଣ୍ଡା ଟ୍ରେଜେରିରୁ ୧୩୯ କୋଟି ଟଙ୍କା ଆତ୍ମସାତ୍ ଅଭିଯୋଗରେ ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ୍ ଫେବ୍ରୁଆରି ୨୧ରେ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ କାରାଦଣ୍ଡ ଏବଂ ୬୦ ଲକ୍ଷ ଟଙ୍କା ଜରିମାନା କରିଥିଲେ।