ପାଟନା: ସାଧାରଣ ନିର୍ବାଚନ ଘୋଷଣା ହେବାର କିଛି ଦିନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଛାଡି କଂଗ୍ରେସରେ ଯୋଗ ଦେଇଥିବା ସାଂସଦ ତଥା ପୂର୍ବତନ କ୍ରିକେଟର୍‌ କୀର୍ତ୍ତି ଆଜାଦ୍‌ ଏବେ ଫସିଯାଇଛନ୍ତି। କାରଣ ସେ ଚାହୁଁଥିଲେ ଦରଭଙ୍ଗାରୁ ନିର୍ବାଚନ ଲଢିବେ । କଂଗ୍ରେସ ତାଙ୍କୁ ଏଠାରୁ ପ୍ରାର୍ଥୀ କରିବ ବୋଲି ସେ ଆଶା ବାନ୍ଧିଥିଲେ । ହେଲେ ଏବେ କୁହାଯାଉଛିି ଯେ ସେ ବିହାରର ଦରଭଙ୍ଗାରୁ ନିର୍ବାଚନ ଲଢ଼ିପାରିବେ ନାହିଁ । କଂଗ୍ରେସ ଦଳରେ ଏଭଳି ଚର୍ଚ୍ଚା ହେଉଛି।

Advertisment

କୁହାଯାଉଛି ଯେ ରାଷ୍ଟ୍ରୀୟ ଜନତା ଦଳ ଛାଡି କଂଗ୍ରେସରେ ସାମିଲ ହୋଇଥିବା ମୁକେଶ ସାହାଣୀ ଏଠାରୁ ନିର୍ବାଚନ ଲଢିବେ। ଏକଥା ଜାଣିବାପରେ କୀର୍ତ୍ତି ଆଜାଦ୍‌ ଜେଲକୁ ଯାଇ ରାଷ୍ଟ୍ରୀୟ ଜନତା ଦଳର ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଥରେ ନୁହେଁ କି ଦୁଇ ଥର ନୁହେଁ ଦଶଥର ଭେଟିଛନ୍ତି । ମାତ୍ର ଲାଲୁ ମାନିବାକୁ ପ୍ରସ୍ତୁତ ନୁହନ୍ତି ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି। କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳର ମହାମେଣ୍ଟରେ ମୁକେଶଙ୍କୁ ଏଠାରୁ ଲୋକସଭା ପ୍ରାର୍ଥୀ କରାଯିବା ନେଇ ସହମତି ପ୍ରକାଶ ପାଇଥିବା କୁହାଯାଉଛି।

ଦରଭଙ୍ଗାର ମଲ୍ଲାହ ସଂପ୍ରଦାୟର ମୁକେଶ ସାହାଣୀ ଦରଭଙ୍ଗାର ଅଧିବାସୀ। ଏଭଳି ସ୍ଥିତିରେ କୀର୍ତ୍ତି ଆଜାଦଙ୍କୁ ବିହାରର ଅନ୍ୟ କୌଣସି ଆସନ ଖୋଜିବାକୁ ପଡିବ ବୋଲି କୁହାଯାଉଛି।ସେ ଏଥିପାଇଁ ପ୍ରସ୍ତୁତ ନଥିବା କୁହାଯାଉଛି। କୀର୍ତ୍ତି ଆଜାଦ୍‌ କେଉଁ ଆସନରୁ ଲୋକସଭା ପ୍ରାର୍ଥୀ ହେଉଛନ୍ତି ତାହା ଦେଖିବାର କଥା । ଆହୁରି ବି ଶୁଣିବାକୁ ମିଳୁଛି ଯେ କଂଗ୍ରେସ ତାଙ୍କୁ ବିଧାନସଭା ଟିକେଟ୍‌ ଦେଇପାରେ।

publive-image

ଏଠାରେ ସୂଚନା ଯୋଗ୍ୟ କୀର୍ତ୍ତି ଆଜାଦ୍‌ ୧୯୮୩ରେ ବିଶ୍ୱକପ୍‌ କ୍ରିକେଟ୍‌ ବିଜେତା ଦଳରେ ଥିଲେ। ସେ ୨୦୧୪ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଟିକେଟ୍‌ରେ ବିହାରର ଦରଭଙ୍ଗା ଲୋକସଭା ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଥିଲେ। ତେବେ ୨୦୧୫ ଡିସେମ୍ବର ୨୩ ତାରିଖରେ କୀର୍ତ୍ତି ଆଜାଦ୍‌ ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ୍‌ ସଂଘରେ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ଆଣି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କୁ ଟାର୍ଗେଟ୍‌ କରି ଭାରତୀୟ ଜନତା ପାର୍ଟିରୁ ନିଲମ୍ବିତ ହୋଇଥିଲେ।