କୁକୁର ଓ ମଶାଙ୍କ ଉତ୍ପାତ ସହି ନ ପାରି ‘ରିମ୍‌ସ୍‌’ର ପେଇଙ୍ଗ୍‌ ଓ୍ଵାର୍ଡକୁ ସ୍ଥାନାନ୍ତର ହେଲେ ଲାଲୁ ଯାଦବ

ପାଟନା: ‘ରାଞ୍ଚି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌’ ସଂକ୍ଷେପରେ ‘ରିମ୍‌ସ୍‌’ରେ ଚିକିତ୍ସାଧୀନ ଥିବା ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଶେଷରେ ସପ୍ତାହେ ହେବ ତାଙ୍କୁ ହଇରାଣ କରୁଥିବା କୁକୁର ଓ ମଶାଙ୍କ ଦାଉରୁ ତ୍ରାହି ପାଇଛନ୍ତି।

ବୁଧବାର ଦିନ ତାଙ୍କୁ ଶୀତତାପ ନିୟନ୍ତ୍ରିତ ପେଇଙ୍ଗ୍‌ ଓ୍ଵାର୍ଡକୁ ନିଆଯାଇଛି। ସେଠାରେ ରଖାଯାଇ ତାଙ୍କର ଚିକିତ୍ସା କରାଯିବ।

ରାଞ୍ଚି ଠାରେ ସ୍ପେଶାଲ୍‌ ସିବିଆଇ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଅଗଷ୍ଟ ୩୦ ତାରିଖ ଦିନ ‘ରିମ୍‌ସ୍‌’ରେ ଭର୍ତ୍ତି କରାଯାଇଥିଲା। ରାତି ସାରା କୁକୁର ଭୁକିବା ଓ ମଶା କାମୁଡ଼ିବା ଯୋଗୁଁ ସେ ଶୋଇ ପାରୁ ନାହାନ୍ତି ବୋଲି ଅଭିଯୋଗ କରି ଆସୁଥିଲେ।

ସୁପର୍‌ ସ୍ପେସିଆଲିଟି ବ୍ଲକ୍‌ର ପେଇଙ୍ଗ୍‌ ଓ୍ଵାର୍ଡକୁ ତାଙ୍କର ରୁମ୍‌ ପରିବର୍ତ୍ତନ କରାଇବାକୁ ସେ ‘ରିମ୍‌ସ୍‌’ର କର୍ତ୍ତୃପକ୍ଷଙ୍କୁ ନିଜର ସମସ୍ୟା ଜଣାଇ ଆବେଦନ କରିଥିଲେ। ‘ରିମ୍‌ସ୍‌’ କର୍ତ୍ତୃପକ୍ଷ ତାଙ୍କ ଆବେଦନକୁ ବିର୍ସା ମୁଣ୍ଡା ସେଣ୍ଟ୍ରାଲ୍‌ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ପାଖକୁ ପଠାଇ ଦେଇଥିଲେ।

ସେଠାରୁ ମଞ୍ଜୁରି ମିଳିବା ପରେ ବୁଧବାର ସନ୍ଧ୍ୟାରେ ଆର୍‌ଜେଡି ମୁଖ୍ୟଙ୍କ ରୁମ୍‌ ପେଇଙ୍ଗ୍‌ ଓ୍ଵର୍ଡକୁ ସ୍ଥାନାନ୍ତରିତ ହୋଇଛି।
ଚିକିତ୍ସା କରାଇବା ପାଇଁ ଲାଲୁ ଯେତେ ଦିନ ସେଠରେ ରହିବେ ଦୈନିକ ୧୦୦୦ ଟଙ୍କା ଲେଖାଏଁ ଦେବେ।

ସମ୍ବନ୍ଧିତ ଖବର