ନୀତୀଶଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସମାରୋହରେ ଯୋଗଦେବା ପାଇଁ ପାଟନା ଆସିବେ ଲାଲୁ ଯାଦବ

ପାଟନା: ବିଜେପିର ସହ ମେଣ୍ଟ ଭାଙ୍ଗିବା ପରେ ବିହାରରେ ଗଠନ ହୋଇଛି ନୀତୀଶ-ତେଜସ୍ୱୀ ସରକାର। କିିଛି ବର୍ଷର ବ୍ୟବଧାନ ପରେ ଏବେ ଆରଜେଡି ପୁଣି ଥରେ କ୍ଷମତାକୁ ‌ଫେରିଛି। ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ‌ଲାଲୁ ଯାଦବଙ୍କ ପୁଅ ତେଜସ୍ବୀଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ପରେ ଏବେ ଲାଲୁଙ୍କ ପରିବାରରେ ଖୁସିର ଲହରୀ ଖେଳିଛି। ତେଜସ୍ୱୀ ଯାଦବଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ସହ ବଡ ଭାଇ ତେଜ ପ୍ରତାପ ଯାଦବ ଖୁବ୍ ଶୀଘ୍ର ମନ୍ତ୍ରୀ ହେବାକୁ ଯାଉଛନ୍ତି।

ତେବେ ଆଗକୁ ନୀତୀଶ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାକୁ ଥିବା ବେଳେ ଆସନ୍ତାକାଲି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପାଟନା ଆସୁଥିବା ଜଣାପଡ଼ିଛି। ଲାଲୁ ପ୍ରସାଦ ନୀତୀଶ କ୍ୟାବିନେଟର ସମ୍ପ୍ରସାରଣ ସମାରୋହରେ ଯୋଗଦେବା ପାଇଁ ପାଟନା ଆସୁଥିବା କୁହାଯାଉଛି। ନୀତୀଶ ସରକାରଙ୍କ କ୍ୟାବିନେଟର ପ୍ରଥମ ସମ୍ପ୍ରସାରଣ ଅଗଷ୍ଟ ୧୬ରେ ହେବ। ଏନେଇ ମହାଗଠବନ୍ଧନର ସମସ୍ତ ଦଳ ତରଫରୁ ପ୍ରସ୍ତୁତି ଚାଲିଛି। ଦିଲ୍ଲୀରେ ରହି ଲାଲୁ ଯାଦବ ରାଜ୍ୟରୁ ବିଜେପିକୁ ହଟାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଚର୍ଚ୍ଚା ହେଉଛି। ତାଙ୍କ ଉଦ୍ୟମ ପାଇଁ ନୀତୀଶ କୁମାର, ତେଜସ୍ୱୀ ଯାଦବଙ୍କ ସହ ସରକାର ଗଢ଼ିବାକୁ ରାଜି ହୋଇଥିଲେ ବୋଲି ସାମ୍ନାକୁ ଆସିଛି। ତେବେ ଆରଜେଡିକୁ ପୁଣି ଥରେ ସରକାରରେ ସାମିଲ କରିବା ପାଇଁ ଲାଲୁଙ୍କ ବଡ଼ ଭୂମିକା ରହିଥିବାରୁ ତାଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ଅନୁରୋଧ କରାଯାଇଥିଲା। ଏବେ ସେ ମହାଗଠବନ୍ଧନର ସମସ୍ତ ଦଳର ଅନୁରୋଧ ରକ୍ଷା କରି ପାଟନା ଆସୁଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିବା ଲାଲୁ ଯାଦବ ଏବେ ନିଜ ଝିଅଙ୍କ ଘରେ ରହିଛନ୍ତି। ସେଠାରୁ ‌ସେ ଆସନ୍ତାକାଲି ପାଟନା ଆସିବେ।

ସମ୍ବନ୍ଧିତ ଖବର