ନୂଆଦିଲ୍ଲୀ : ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ  ଶନିବାର କହିଛନ୍ତି, ସେ ରାଜନୀତି ଛାଡ଼ି ଦେଇଛନ୍ତି  ଏବଂ ତାଙ୍କ ପରିବାର ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି।  ବିହାର ବିଧାନସଭା ନିର୍ବାଚନରେ ଆର୍‌ଜେଡି ଅତି ଖରାପ ପ୍ରଦର୍ଶନ କରିବାପରେ ରୋହିଣୀ  ଆଜି ଏହି ଘୋଷଣା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ ଏଭଳି ପଦକ୍ଷେପ ନେବା ପଛରେ  ତେଜସ୍ବୀ ଯାଦବଙ୍କ ସହଯୋଗୀ ସଞ୍ଜୟ ଯାଦବ ଏବଂ ରମିଜ ଆଲମଙ୍କ ଭୂମିକା ରହିଛି।  ଏକ୍ସରେ ଏକ ପୋଷ୍ଟ୍‌ କରି ରୋହିଣୀ କହିଛନ୍ତି, ‘ମୁଁ ରାଜନୀତି ଛାଡ଼ିଦେଲି ଏବଂ ମୋ ପରିବାର ସହ ସମ୍ପର୍କ ତ୍ୟାଗ କରିଦେଲି। ସଂଜୟ ଯାଦବ ଏବଂ ରମିଜ ମୋତେ ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଛନ୍ତି।   ଉଲ୍ଲେଖଯୋଗ୍ୟ,  ରୋହିଣୀ ଆଚାର୍ଯ୍ୟ ବୃତ୍ତିରେ ଜଣେ ଡାକ୍ତର।   ବିହାରର ସାରଣ ନିର୍ବାଚନମଣ୍ଡଳୀରୁ ସେ ୨୦୨୪ ଲୋକସଭା‌ ନିର୍ବାଚନ ଲଢ଼ିଥିଲେ ଏବଂ ବିଜେପିର ରାଜୀବ ପ୍ରତାପ ରୁଡ଼ିଙ୍କଠାରୁ ହାରି ଯାଇଥିଲେ।  

Advertisment

ଉଲ୍ଲେଖଯୋଗ୍ୟ, ସଂଜୟ ଯାଦବଙ୍କ ବିରୋଧରେ ରୋହିଣୀଙ୍କ ଅସନ୍ତୋଷ ବିହାର ନିର୍ବାଚନର ବହୁ ପୂର୍ବରୁ ଆରମ୍ଭ ହୋଇଥିଲା।  ଏହି କାରଣ ପାଇଁ ସେ ତାଙ୍କ ପିତା ଲାଲୁ ଯାଦବ ଏବଂ ଭାଇ ତେଜସ୍ବୀ ଯାଦବଙ୍କୁ ଏକ୍ସରେ ଅନ୍‌ଫଲୋ କରିଥିଲେ।   ଲାଲୁଙ୍କ ପରିବାରରେ ବି ସଂଜୟଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆର୍‌ଜେଡିର ଟିକେଟ ବଣ୍ଟନରେ ତାଙ୍କର ହସ୍ତକ୍ଷେପ ଥିବା ଅଭିଯୋଗ କରି ଅନେକ ତାଙ୍କୁ ଦଳର ବିପର୍ଯ୍ୟୟ ପାଇଁ ଦାୟୀ କରିଛନ୍ତି।
ଏହି ଘଟଣାରେ ବିଜେପି କଡ଼ା ପ୍ରତିକ୍ରିୟା ରଖିଛି।  ବିଜେପି କହିଛି ଯେଉଁ ଝିଅ ନିଜ କିଡନି ଦାନ କରି ଲାଲୁ ଯାଦବଙ୍କ ଜୀବନ ବଞ୍ଚାଇଥିଲେ ‌ଏବେ ତାଙ୍କୁ ପରିବାରରୁ ଏବଂ ଦଳରୁ ହଟାଇ ଦିଆଯାଉଛି। ଏଥିରୁ ଜଣେ ଭାବିପାରୁଥିବ ଯେ ସେ ନିଜକୁ କେତେ ଅସହାୟ ଏବଂ ଦୁଃଖି ମନେ କରୁଥିବେ।