‘ପରିବାରବାଦ’ ବୟାନ ନେଇ ମୋଦୀ, ନୀତୀଶଙ୍କୁ ଲାଲୁଙ୍କ କଟାକ୍ଷ: ସେମାନଙ୍କ ସନ୍ତାନ ନାହାନ୍ତି, ମୁଁ କ’ଣ କରିବି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ‘ପରିବାରବାଦ’କୁ ନେଇ ଯେଉଁ ଟିପ୍ପଣୀ ଦେଇଥିଲେ ତାକୁ ତୀବ୍ର କଟାକ୍ଷ କରିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ଲାଲୁ କହିଛନ୍ତି, ମୋଦୀ ଏବଂ ନୀତୀଶ ସନ୍ତାନ ଲାଭ କରନ୍ତୁ ବୋଲି ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। ଫଳରେ ସେମାନେ ‘ ପରିବାରବାଦ’ ରେ ସାମିଲ ହୋଇପାରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏକ ସାକ୍ଷାତକାର ଦେଇ ପରିବାରବାଦ ରାଜନୀତିକୁ ସମାଲୋଚନା କରିଥିଲେ। ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ‌ସେ କହିଥିଲେ। ତେବେ ଏହାର ଜବାବ ଦେଇ ଲାଲୁ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସନ୍ତାନ ନାହିଁ , ଏଥିରେ ମୁଁ କ’ଣ କରିପାରିବି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଗୋଟିଏ ପୁଅ ଅଛି କିନ୍ତୁ ସେ ରାଜନୀତି ପାଇଁ ଫିଟ୍‌ ନୁହନ୍ତି। ତେଣୁ ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ସେମାନଙ୍କୁ ସନ୍ତାନ ମିଳୁ ଫଳରେ ସେମାନେ ପରିବାରବାଦରେ ସାମିଲ ହୋଇପାରିବେ।

ଉଲ୍ଲେଖଯୋଗ୍ୟ, ମୋଦୀ ବୁଧବାର ଏଏନଆଇକୁ କହିଥିଲେ, ‘ଯେତେବେଳେ ମୁଁ ନକଲି ସମାଜବାଦୀଙ୍କ କଥା କହୁଛି ତାହା ହେଉଛି ପରିବାରବାଦ। କୌଣସି ସ୍ଥାନରେ କ’ଣ ଲୋହିଆ ପରିବାରକୁ ଦେଖିବାକୁ ମିଳୁଛି। ସେ ଜଣେ ସମାଜବାଦୀ। ଜର୍ଜ‌୍ ଫର୍ଣ୍ଣାଣ୍ଡିସ୍‌ଙ୍କ ପରିବାରକୁ କ’ଣ କେଉଁଠି ଦେଖିବାକୁ ପାଉଛନ୍ତି। ସେ ମଧ୍ୟ ଜଣେ ସମାଜବାଦୀ। ନୀତୀଶ ବାବୁ ଆମ ସହ କାମ କରୁଛନ୍ତି ଏବଂ ସେ ମଧ୍ୟ ଜଣେ ସମାଜବାଦୀ। ଯେତେବେଳେ ଗୋଟିଏ ଦଳ ପିଢ଼ି ପରେ ପିଢ଼ି ଧରି ଏକ ପରିବାର ଦ୍ବାରା ପରଚାଳିତ ହେଉଛି ସେଠି କେବଳ ପରିବାରବାଦ ରହିଛି। ଜମ୍ମୁ କାଶ୍ମୀର ଠାରୁ ଆରମ୍ଭ କରି ହରିୟାଣା, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ତାମିଲନାଡ଼ୁରେ ମଧ୍ୟ ଏହିଭଳି ସମାନ ସ୍ଥିତି ଦେଖିବାକୁ ମିଳୁଛି। ବଂଶବାଦ ରାଜନୀତି ଗଣତନ୍ତ୍ରର ସବୁଠୁ ବଡ଼ ଶତ୍ରୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର