ଅତୀତରେ ଥିଲେ ଆତଙ୍କବାଦୀ, ସେନାରେ ସାମିଲ ହୋଇ ଆତଙ୍କବାଦୀଙ୍କ ମୁକାବିଲା କରି ଦେଶ ପାଇଁ ପ୍ରାଣବଳି ଦଲେ

ଜମ୍ମୁ: ସେ ଏକଦା ଆତଙ୍କବାଦୀଙ୍କ ପ୍ରରୋଚନାରେ ରକ୍ତର ହୋଲି ଖେଳିବା ଲାଗି ବନ୍ଧୁକ ଉଠାଇଥିଲେ। କିନ୍ତୁ ପରେ ନିଜର ଭୁଲ ବୁଝି ପାରିଥିଲେ। ଏହାପରେ ଆତ୍ମସମର୍ପଣ କରି ଦେଶର ସୁରକ୍ଷା ଲାଗି ସେନାରେ ଯୋଗ ଦେଇଥିଲେ। ଗତ ରବିବାର ଆତଙ୍କବାଦୀଙ୍କ ସହ ସେନାର ଗୁଳିବିନିମୟ ସମୟରେ ଆହତ ହୋଇଥିବା ଲାନ୍ସନାୟକ ନଇକ୍‌ ନାଜିର୍‌ ଅହମେଦ୍‌ ଓ୍ଵାନି ସହିଦ ହୋଇଛନ୍ତି।

୯୦ ଦଶକରେ ଓ୍ଵାନି ଆତଙ୍କବାଦୀ ସଙ୍ଗଠନରେ ଯୋଗ ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ହିଂସା ଓ ରକ୍ତପାତର ରାସ୍ତା ଛାଡ଼ି ମୁଖ୍ୟସ୍ରୋତକୁ ଫେରି ଆସିଲେ। ୨୦୦୪ରେ ସେ ସେନାରେ ଚାକିରି ଆରମ୍ଭ କଲେ।

ସେନାରେ ସାମିଲ୍‌ ହେବା ପରେ ଆତଙ୍କବାଦୀଙ୍କ ନିପାତ୍‌ ଲାଗି ହେଉଥିବା ଅପରେସନ୍‌ରେ ସକ୍ରିୟ ଭୂମିକା ନେଉଥିଲେ। ଯେଉଁଥିପାଇଁ ଲାନ୍ସନାଏକ ଓ୍ଵାନିଙ୍କୁ ୨୦୦୭ରେ ସେନା ସାହସିକତା ମେଡାଲ ମିଳିଥିଲା। ୨୦୧୮ ଅଗଷ୍ଟରେ ମଧ୍ୟ ଆଉ ଥରେ ସାହସିକତା ଲାଗି ସେନା ମେଡାଲ ଲାଭ କରିଥିଲେ।

ରବିବାର ଜମ୍ମୁ-କଶ୍ମୀରର ସୋପିଆନ୍‌ରେ ହୋଇଥିବା ଏନ୍‌କାଉଣ୍ଟରରେ ଲଢ଼ୁଥିବା ବେଳେ ଗୁଳିବିଦ୍ଧ ହୋଇ ଗୁରୁତର ଆହତ ହୋଇଥିଲେ। ଡାକ୍ତରଖାନାରେ ଚିକିତ୍ସିତ ହେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ପୂର୍ଣ୍ଣରାଷ୍ଟ୍ରୀୟ ମାର୍ଯ୍ୟାଦା ସହକାରେ ସହିଦ ଓ୍ଵାନିଙ୍କର ଶେଷକୃତ ସଂପନ୍ନ ହୋଇଛି। ତାଙ୍କର ୨୦ ଓ ୧୮ବର୍ଷର ଦୁଇ ସନ୍ତାନ ଓ ବିଧବା ପତ୍ନୀ ଅଛନ୍ତି।

ସମ୍ବନ୍ଧିତ ଖବର