ଜେନେରାଲ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲାନ୍‌ସ ନାୟକ ସାଇ ତେଜା ଶେଷ ଭିଡିଓ କଲ କରିଥିଲେ ପତ୍ନୀଙ୍କୁ

ହାଇଦ୍ରାବାଦ: ବୁଧବାର ସକାଳ ପ୍ରାୟ ୮ଟାରେ ଶ୍ୟାମଲା ଯେତେବେଳେ ତାଙ୍କ ସ୍ୱାମୀ ଲାନ୍‌ସ ନାୟକ ସାଇ ତେଜାଙ୍କଠାରୁ ଏକ ଭିଡିଓ କଲ୍‌ ପାଇଲେ, ସେତେବେଳେ ସେ ଜାଣି ନଥିଲେ ଯେ ସେ ତାଙ୍କ ସହ ଶେଷ ଥର ପାଇଁ କଥା ହେବେ ବୋଲି। ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଭାବରେ ଅବସ୍ଥାପିତ ଥିବା ସ୍ୱାମୀ ଲାନ୍‌ସ ନାୟକ ସାଇ ତେଜା ତାଙ୍କୁ ସୂଚନା ଦେଇଥିଲେ ଯେ ସେ ଆଉ କିଛି ସମୟ ପରେ ତାମିଲନାଡୁ ଯାତ୍ରା କରିବେ। ଆଉ ଏହି ଭିଡିଓ କଲ୍‌ର ପ୍ରାୟ ଚାରି ଘଣ୍ଟା ପରେ, ସେନାମୁଖ୍ୟଙ୍କ ହେଲିକପ୍ଟଟର ଦୁର୍ଝଟଣାରେ ମୃତ୍ୟୁବରଣ କରିଥିବା ୧୩ ଜଣଙ୍କ ମଧ୍ୟରୁ ସେ ଅନ୍ୟତମ ହେବେ ବୋଲି।

ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲାର ୨୭ ବର୍ଷିୟ ଲାନ୍‌ସ ନାୟକ ସାଇ ତେଜାଙ୍କର ଏକ ୫ ବର୍ଷର ପୁଅ ମୋକ୍ଷଗ୍ନା ଏବଂ ୩ ବର୍ଷର ଝିଅ ଦର୍ଶିନୀ ଅଛନ୍ତି। ଉଭୟେ ପିତୃ ବିୟୋଗଜନିତ ଦୁଃଖକୁ ହୃଦୟଙ୍ଗମ କରିବା ପାଇଁ ବହୁତ ଛୋଟ। ଲାନ୍‌ସ ନାୟକ ସାଇ ତେଜା ଶେଷ ଥର ପାଇଁ ତିନି ମାସ ପୂର୍ବେ ଗଣେଶ ଚତୁର୍ଥୀ ସମୟରେ ଘରକୁ ଆସିଥିଲେ। ତାଙ୍କ ମା’ ଭୁବନେଶ୍ୱରୀ ତାଙ୍କ ଉଭୟ ପୁଅଙ୍କୁ ସେନାରେ ଯୋଗଦେବାକୁ ଉତ୍ସାହିତ କରିଥିବା ଜଣାଯାଇଛି। ତାଙ୍କ ସାନ ଭାଇ ମହେଶ ସିକିମରେ ସେନାରେ ନିୟୋଜିତ ଅଛନ୍ତି।

ଚିତ୍ତୋରର କାଣ୍ଟେଭାରିପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଲାନ୍‌ସ ନାୟକ ସାଇ ତେଜା ୨୦୧୩ରେ ଭାରତୀୟ ସେନାର ବେଙ୍ଗାଲୁରୁ ରେଜିମେଣ୍ଟରେ ଯୋଗ ଦେଇଥିଲେ। ସେନାରେ ଏକ ବର୍ଷ କାର୍ଯ୍ୟ କରିବା ପରେ ସେ ପୁଣି ଥରେ ବିଭାଗୀୟ ପରୀକ୍ଷା ଦେଇଥିଲେ ଏବଂ ୧୧ ପାରା (ସ୍ୱତନ୍ତ୍ର ବାହିନୀ)ରେ ଲାନ୍‌ସ ନାୟକ ଭାବରେ ଅବସ୍ଥାପିତ ହୋଇଥିଲେ। ସେ ବେଙ୍ଗାଲୁରୁ ସେନା ପ୍ରଶିକ୍ଷଣ ଶିବିରରେ କାର୍ଯ୍ୟ କରିଥିଲେ ଏବଂ ପରେ ଜେନେରାଲ ରାୱତଙ୍କ ବ୍ୟକ୍ତିଗତ ସୁରକ୍ଷା ୱିଙ୍ଗରେ ନିଯୁକ୍ତ ହୋଇଥିଲେ। ସେ ୨୦୧୬ରେ ବିବାହ କରିଥିଲେ।

ଲାନ୍‌ସ ନାୟକ ସାଇ ତେଜାଙ୍କର ନିଧନରେ ଚିତ୍ତୋର ଜିଲ୍ଲାର ବିଭିନ୍ନ ସ୍ଥାନର ଲୋକମାନେ ଦୁଃଖ ପ୍ରକାଶ କରିବା ସହ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ଲାନ୍‌ସ ନାୟକ ସାଇ ତେଜାଙ୍କ ଭଣଜା ବି ସୁକୁମାର କହିଛନ୍ତି ଯେ ହିନ୍ଦୁ ରୀତିନୀତି ଅନୁଯାୟୀ ଲାନ୍‌ସ ନାୟକଙ୍କ ଅନ୍ତିମ ସଂସ୍କାର ତାଙ୍କ ଗ୍ରାମରେ କରାଯିବ।

ସମ୍ବନ୍ଧିତ ଖବର