ଅଯୋଧ୍ୟାରେ ମସ୍‌ଜିଦ୍ ପାଇଁ ୫ ସ୍ଥାନ ଚିହ୍ନଟ, ପଞ୍ଚକୋଶି ପରିକ୍ରମା ପରିସୀମା ବାହାରେ ମିଳିବ ୫ ଏକର ଜାଗା

କେନ୍ଦ୍ର ଗୃହ ମନ୍ତ୍ରାଳୟ ନେବ ଚୂଡ଼ାନ୍ତ ନିଷ୍ପତ୍ତି

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ଜନ୍ମଭୂମି ବାବ୍ରି ମସଜିଦ୍ ରାୟ ଗତ ନଭେମ୍ବର ୯ ତାରିଖରେ ସୁପ୍ରିମ କୋର୍ଟ ଦେଇଥିଲେ। ରାୟରେ ବିବାଦୀୟ ସ୍ଥଳୀରେ ହିନ୍ଦୁ ପକ୍ଷକୁ ମନ୍ଦିର ନିର୍ମାଣ ଅନୁମତି ମିଳିଥିଲା। ତେବେ ସୁପ୍ରିମ କୋର୍ଟଙ୍କ ରାୟରେ ସୁନ୍ନି ୱାକଫ୍‌ ବୋର୍ଡକୁ ମସଜିଦ୍‌ ନିର୍ମାଣ ପାଇଁ ୫ ଏକରର ବିକଳ୍ପ ଜାଗା ଦେବାକୁ ନିର୍ଦ୍ଦେଶ ରହିଥିଲା। ତଦନୁଯାୟୀ ଅଯୋଧ୍ୟାରେ ୫ଟି ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରାଯାଇଛି। ତେବେ ୫ଟି ଯାକ ସ୍ଥାନ ଅଯୋଧ୍ୟାର ‘ପଞ୍ଚକୋଶି ପରିକ୍ରମା’ ପରିସୀମା ବାହାରେ ଚିହ୍ନଟ କରାଯାଇଛି। ମନ୍ଦିର ଠାରୁ ମସଜିଦ୍‌ର ନିର୍ମାଣ ନିରାପଦ ଦୂରତାରେ ହେବା ଆବଶ୍ୟକ ବୋଲି ସାଧୁ ସନ୍ଥମାନେ ମତ ଦେଇଥିଲେ। ତାହାକୁ ବିଚାରକୁ ନେଇ ପ୍ରଶାସନ ପଞ୍ଚକୋଶି ପରିକ୍ରମା ପରିସୀମା ବାହାରେ ମସଜିଦ୍‌ ପାଇଁ ସ୍ଥାନ ଚିହ୍ନଟ କରିଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ଅଯୋଧ୍ୟା-ଫଇଜାବାଦ ରୋଡ୍, ଅଯୋଧ୍ୟା-ବସ୍ତି ରୋଡ୍‌, ଅଯୋଧ୍ୟା-ସୁଲତାନପୁର ରୋଡ୍ ଏବଂ ଅଯୋଧ୍ୟା-ଗୋରଖପୁର ରୋଡ୍‌ରେ ୪ଟି ସ୍ଥାନ ଚିହ୍ନଟ କରିଛନ୍ତି। ପଞ୍ଚମ ସ୍ଥାନଟି ମଧ୍ୟ ପଞ୍ଚକୋଶି ପରିକ୍ରମା ସୀମା ବାହାରେ ରାଜପଥ ପାର୍ଶ୍ବରେ ଚିହ୍ନଟ ହୋଇଛି। ପ୍ରସ୍ତାବିତ ସ୍ଥାନ ଗୁଡ଼ିକର ବିସ୍ତୃତ ବିବରଣୀ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ମଞ୍ଜୁର ନିମନ୍ତେ ପଠାଯାଇଛି। ଚିହ୍ନଟ ସ୍ଥାନ ଗୁଡ଼ିକୁ ଯେଭଳି ସହଜରେ ଏବଂ ସୁବିଧାରେ ଯାତାୟାତ କରାଯାଇ ପାରିବ ତାହାକୁ ପ୍ରଶାସନ ନିଶ୍ଚିତ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ତେବେ ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ (ଏଆଇଏମପିଏଲବି), ବାବ୍ରି ମସଦିଜ୍ କ୍ରିୟାନୁଷ୍ଠାନ କମିଟି ଏବଂ ଜମିଆତ ଉଲେମ-ଏ-ହିନ୍ଦ୍ ମସଜିଦ୍ ପାଇଁ ୫ ଏକର ଜମି ଗ୍ରହଣ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ସୁନ୍ନି ସେଣ୍ଟ୍ରାଲ ୱାକ୍‌ଫ ବୋର୍ଡ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଉଲ୍ଲେଖଯୋଗ୍ୟ, ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ଜମି ଯୋଗାଇ ଦେବା ପାଇଁ ରାୟରେ କହିଥିଲେ। ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ମସଜିଦ୍ ପାଇଁ ଜମିର ପ୍ରସ୍ତାବ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ରାଜ୍ୟ ସରକାର ଫୈଜାବାଦ ଜିଲ୍ଲା ପ୍ରଶାସନ ମାଧ୍ୟମରେ ୫ଟି ସମ୍ଭାବ୍ୟ ସ୍ଥାନ ଚିହ୍ନଟ କରିଛି। ୫ଟି ସମ୍ଭାବ୍ୟ ସ୍ଥାନ ମଧ୍ୟରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୋଟିଏ ସ୍ଥାନକୁ ମସଜିଦ୍ ପାଇଁ ବାଛିବ।

ସମ୍ବନ୍ଧିତ ଖବର