ନୂଆଦିଲ୍ଲୀ: ବିହାରର ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ଆସନ୍ତାକାଲି କୋର୍ଟରେ ହାଜର ହେବେ। ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଉଭୟ ଲାଲୁ ଏବଂ ରାବଡ଼ି କୋର୍ଟରେ ହାଜର ହେବେ। ସେମାନଙ୍କୁ ନିକଟରେ ସିବିଆଇ ପୃଥକ୍ ଭାବେ ଜେରା କରିଥିଲା। ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବାବେଳେ ରେଳ ବିଭାଗରେ ଚାକିରି ପାଇବା ପାଇଁ ଲୋକ ସେମାନଙ୍କ ଜମିକୁ ଉପହାର ଭାବେ ଲାଲୁ ଯାଦବଙ୍କ ପରିବାର ସଦସ୍ୟଙ୍କ ନାମରେ କରିଦେଉଥିଲେ।
ରେଳବାଇରେ ନିଯୁକ୍ତିରେ ଜାଲିଆତି ହୋଇଛି ଏବଂ ରେଳବାଇରେ ନିଯୁକ୍ତ ପାଇଁ ଥିବା ନିର୍ଦ୍ଦିଷ୍ଟ ନିୟମର ଉଲ୍ଲଂଘନ ହୋଇଛି ବୋଲି ସିବିଆଇ ଏହାର ଚାର୍ଜସିଟ୍ରେ ଦର୍ଶାଇଛି। ଉଲ୍ଲେଖଯୋଗ୍ୟ ଯେ ଏହି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ମାର୍ଚ୍ଚ ୧୫ରେ କୋର୍ଟରେ ହାଜର ହେବାପାଇଁ ଫେବ୍ରୁଆରି ୨୭ରେ ସମନ୍ ଜାରି ହୋଇଥିଲା।