ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଭୂମି ପୂଜନ କାର୍ଯ୍ୟକ୍ରମରେ ବହୁ ପ୍ରମୁଖ ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଥିଲା। କିନ୍ତୁ କରୋନା ମହାମାରୀ ପାଇଁ ସ୍ଥିତି ବଦଳି ଯାଇଛି। ମାତ୍ର ୨୦୦ରୁ ୨୫୦ ଜଣ ଅତିଥି ଭୂମି ପୂଜନ କାର୍ଯ୍ୟକ୍ରମକୁ ଆମନ୍ତ୍ରିତ ହୋଇଥିବା ଜଣାପଡ଼ିଛି। ଆମନ୍ତ୍ରିତ ହୋଇଥିବା ଅତିଥିଙ୍କ ମଧ୍ୟରେ ରାମ ମନ୍ଦିର ଅଭିଯାନ ସହ ସମ୍ପୃକ୍ତ ବହୁ ବରିଷ୍ଠ ବିଜେପି , ଆରଏସଏସ୍ ଏବଂ ଭିଏଚ୍ପି ନେତା ଅଛନ୍ତି। ପ୍ରମୁଖ ମୁସଲିମ୍ ନେତା, ବାବ୍ରି ମସଜିଦ୍ ଧ୍ବଂସ ମାମଲାରେ ପ୍ରମୁଖ ଆବେଦନକାରୀ , ବାବା ରାମ ଦେବ ଏବଂ ଦେଶବ୍ୟାପୀ କିଛି ସାଧୁସନ୍ଥ ମଧ୍ୟ ଏହି ତାଲିକାରେ ଅଛନ୍ତି।
/sambad/media/post_attachments/wp-content/uploads/2020/05/sonia-gandhi-1.jpg)
ଟ୍ରଷ୍ଟ୍ର କିଛି ବରିଷ୍ଠ ସଦସ୍ୟଙ୍କ କହିବା ଅନୁଯାୟୀ ଆମନ୍ତ୍ରିତ ହୋଇଥିବା ମୁସଲିମ୍ ନେତାମାନେ ହେଉଛନ୍ତି ଉତ୍ତରପ୍ରଦେଶ ସୁନ୍ନି ସେଣ୍ଟ୍ରାଲ୍ ୱାକଫ୍ ବୋର୍ଡ୍ର ଅଧ୍ୟକ୍ଷ ଜାଫର ଫାରୁକି ଏବଂ ୟୁପି ସିଆ ସେଣ୍ଟ୍ରାଲ୍ ୱାକଫ୍ ବୋର୍ଡ୍ ଅଧ୍ୟକ୍ଷ ୱାସିମ୍ ରିଜ୍ଭି। ଅଯୋଧ୍ୟା ଜମି ବିବାଦ ମାମଲାରେ ଜଣେ ଆବେଦନକାରୀ ଇକବଲ୍ ଅନ୍ସାରୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇଛି ବୋଲି ଟ୍ରଷ୍ଟ୍ର ସଦସ୍ୟଙ୍କ ସୂତ୍ରରୁ ଜଣାପଡ଼ିଛି। ଏଲ୍କେ ଆଡଭାନୀ, ମୁରଲି ମନୋହର ଯୋଶୀ, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ସାଧାରଣ ସଚିବ ସୁରେଶ ଭାୟାଜି ମଧ୍ୟ ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ତେବେ ଟ୍ରଷ୍ଟ୍ କୌଣସି ବିରୋଧୀ ଦଳ ନେତାଙ୍କୁ ଆମନ୍ତ୍ରିତ କରିନାହିଁ। କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଆମନ୍ତ୍ରିତ କରାଯାଇନାହିଁ। ସେହିପରି ଅଯୋଧ୍ୟା,ଫୈଜାବାଦ୍ର ସମସ୍ତ ସାଂସଦମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଆମନ୍ତ୍ରିତ କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ୨ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
ଅଗଷ୍ଟ ୧୫ରେ ରାମ ଜନ୍ମଭୂମିରେ ଆଇଏସ୍ଆଇର ଆକ୍ରମଣ ଯୋଜନା !
ନୂଆଦିଲ୍ଲୀ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଉତ୍ତରପ୍ରଦେଶର ଅଯୋଧ୍ୟା ସ୍ଥିତ ରାମ ଜନ୍ମଭୂମିରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରିଛି। ଆକ୍ରମଣ ପାଇଁ ପାକ୍ ଗୁଇନ୍ଦା ସଂସ୍ଥା ଅଯୋଧ୍ୟାକୁ ୩ରୁ ୫ଟି ଆତଙ୍କବାଦୀ ପଠାଇବାପାଇଁ ଯୋଜନା କରିଛି। ଗୁଇନ୍ଦା ସଂସ୍ଥା 'ର' ଅନୁଯାୟୀ ଆଇଏସ୍ଆଇ ଏହି ଆକ୍ରମଣ ପାଇଁ ଆଫଗାନିସ୍ତାନରେ ଲସ୍କର ଏବଂ ଜୈଶ ଆତଙ୍କବାଦୀଙ୍କୁ ତାଇିମ ଦେଉଛି। ଗୁଇନ୍ଦା ସଂସ୍ଥା ପକ୍ଷରୁ ଏହା କୁହାଯାଇଛି ଯେ, ଆତଙ୍କବାଦୀ ଗୋଷ୍ଠୀ ଭିନ୍ନ ଢଙ୍ଗରେ ଆକ୍ରମଣ କରନ୍ତୁ ବୋଲି ପାକିସ୍ତାନ ଚାହିଛି। ବିଶେଷ କରି ଆକ୍ରମଣରେ ଯେମିତି ପାକିସ୍ତାନର କିଛି ସମ୍ପୃକ୍ତି ନାହିଁ ଏବଂ ଏହା ଭାରତରେ ଆଭ୍ୟନ୍ତରୀଣ ଆକ୍ରମଣ ଭଳି ଦର୍ଶାଇବାକୁ ପାକିସ୍ତାନ ଚାହିଛି। ଏହା ମଧ୍ୟ କୁହାଯାଇଛି ଯେ, ଭିଭିଆଇପିମାନେ ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ରହିଛନ୍ତି। ବଡ଼ ଧରଣର ଆକ୍ରମଣ ହୋଇପାରେ। ତେବେ ଗୁଇନ୍ଦା ସୂତ୍ରରୁ ଏହି ଖବର ମିଳିବା ପରେ ଦିଲ୍ଲୀ, ଅଯୋଧ୍ୟା ଏବଂ କାଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବ୍ୟାପକ ତଲାସୀ ଅଭିଯାନ ମଧ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ଅଗଷ୍ଟ ୫ ତାରିଖରେ ମୋଦୀ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ୫ ତାରିଖ ଦିନ ମଧ୍ୟ ଗତବର୍ଷ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ତେବେ ଉଭୟ ଅଗଷ୍ଟ ୫ ଏବଂ ୧୫ ତାରିଖ ଉପରକୁ ଫୋକସ୍ କରାଯାଇଛି।