ଜମ୍ମୁ ଓ କଶ୍ମୀରରେ ଭୂସ୍ଖଳନ : ଜଣେ ମୃତ, ୬ଜଣ ଫସି ରହିଛନ୍ତି

ଶ୍ରୀନଗର : ଶନିବାର ଦିନ ଜାମ୍ମୁ କାଶ୍ମୀରର କିସ୍ତୱାରରେ ନିର୍ମାଣାଧିନ ରାଟଲ ଜଳବିଦ୍ୟୁତ ପ୍ରକଳ୍ପ ଉପରେ ଭୟାବହ ଭୂସ୍ଖଳନ ହୋଇଛି । ଫଳରେ ଜଣେ ଜେସିବି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ଓ ଆଉ କେତେକ ବ୍ୟକ୍ତି ଫସି ରହିଛନ୍ତି । ପ୍ରଥମେ ଏକ ଭୂସ୍ଖଳନ ହେବା ପରେ ଜେସିବି ଡ୍ରାଇଭରକୁ ଉଦ୍ଧାର କରିବାକୁ କିଛି ଲୋକ ଉଦ୍ୟମ କରୁଥିବାବେଳେ ଆଉ ଏକ ଭୂସ୍ଖଳନ ହୋଇଥିଲା । ଫଳରେ ସେମାନେ ଚାପି ହୋଇଯାଇଥିଲେ ।

ଖବର ପାଇଁ ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ଏହି ଦୁର୍ଘଟଣାକୁ ନେଇ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସମବେଦନା ଜଣାଇବା ସହ ସେନା, ଏସଡିଆରଏଫ ଏବଂ ପୁଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନକୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ଯେ, ଜେସିବି ଡ୍ରାଉଭର ମାଟି ଅତଡ଼ା ତଳେ ଫସିରହିବା ପରେ ପ୍ରାୟ ୬ ଜଣ ଉଦ୍ଧାରକାରୀ ସେଠାକୁ ଯାଇଥିଲେ । କିନ୍ତୁ ଏହି ସମୟରେ ଆଉ ଥରେ ଭୂସ୍ଖଳନ ହୋଇଥିଲା । ଫଳରେ ସେମାନେ ବି ଫସି ରହିଛନ୍ତି । ସୂଚନାଯୋଗ୍ୟ ଯେ କିସ୍ତଓ୍ବାର ଜିଲ୍ଲାର ରାଟଲ ଗ୍ରାମ ନିକଟରେ ଏହି ଜଳ ବିଦ୍ୟୁତ ପ୍ରକଳ୍ପ ଚେନାବ ନଦୀ ଉପରେ ନିର୍ମାଣ କରାଯାଉଛି ।

ସମ୍ବନ୍ଧିତ ଖବର