ଖାର୍ତୁମ: ସୁଦାନର କେନ୍ଦ୍ରୀୟ ଦାରଫୁରର ମାରାହ ପର୍ବତରେ ଅବସ୍ଥିତ ତାରାସିନ ଗାଁରେ ଗତକାଲି ଏକ ଭୟଙ୍କର ଭୂସ୍ଖଳନରେ ପ୍ରାୟ ୧୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳ ନିୟନ୍ତ୍ରଣ କରୁଥିବା ସୁଦାନ ଲିବରେସନ ମୁଭମେଣ୍ଟ-ଆର୍ମି ଅନୁଯାୟୀ, ୪ ଦିନ ଧରି ଲଗାଣ ବର୍ଷା ପରେ ଏହି ଦୁର୍ଘଟଣା ଘଟିଛି, ଯାହା ଗାଁକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ସହ ସମସ୍ତଙ୍କୁ ନିଶ୍ଚିହ୍ନ କରିଦେଇଛି। ଜାତିସଂଘ ଏବଂ ଅନ୍ୟ ଅନ୍ତର୍ଜାତୀୟ ସହାୟତା ସଂସ୍ଥା ମୃତଦେହ ଉଦ୍ଧାର ପାଇଁ ସାହାଯ୍ୟ କରିବାକୁ ସୁଦାନ ମୁକ୍ତି ସେନା ଅନୁରୋଧ କରିଛି।
ସୁଦାନରେ ୨୦୨୩ ଏପ୍ରିଲରୁ ଚାଲିଥିବା ଗୃହଯୁଦ୍ଧ ଏବେ ଅତି ଭୟଙ୍କର ସ୍ଥିତି ସୃଷ୍ଟି କରୁଥିବା ବେଳେ ଘୋର ଦାରିଦ୍ରୢ ଭିତରେ ରହିଥିବା ଏହି ଅଂଚଳରେ ପ୍ରକୃତି ମଧ୍ୟ ଦାଉ ସାଧୁଛି। ଏହି ଗୃହଯୁଦ୍ଧରେ ୪୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ବାସହାରା ହୋଇଛନ୍ତି। ମାରାହ ପର୍ବତ ଅଞ୍ଚଳ ଯୁଦ୍ଧରୁ ପଳାୟନ କରୁଥିବା ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ହୋଇଥିବା ବେଳେ, ଯୁଦ୍ଧ ଓ ପ୍ରତିବନ୍ଧକ ଯୋଗୁଁ ଜାତିସଂଘ ଓ ସହାୟତା ସଂସ୍ଥାମାନେ ଏହି ଅଞ୍ଚଳରେ ପହଞ୍ଚି ପାରୁନାହାନ୍ତି।