ଡେରାଡୁନ: ବାଦଲଫଟା ବର୍ଷା, ଅଚାନକ ବନ୍ୟା ଓ ଭୂସ୍ଖଳନ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ବଡ଼ଧରଣର ବିପର୍ଯ୍ୟୟ ଆଣିଛି। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୬ ଜଣ ନିଖୋଜ ଅଛନ୍ତି। ବାଦଲଫଟା ବର୍ଷା ଯୋଗୁ ଟୋନ୍ସ ଓ ତମସା ନଦୀ ଫୁଲିବା ଫଳରେ ତପୋବନ‌ରେ ଅନେକ ଘର ବୁଡ଼ି ଯାଇଛି ଏବଂ ବ୍ୟାପକ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଉପୁଜିଛି। ଅନେକ ଘର, ଦୋକାନ ବଜାର ଏବଂ ଗାଡ଼ି ମୋଟର ଭାସିଯାଇଛି। ଏକ ପ୍ରମୁଖ ପୋଲ ମଧ୍ୟ ଭୁଶୁଡ଼ି ପଡ଼ିଛି। ଟୋନ୍ସ ନଦୀରେ ଅନେକ ଶ୍ରମିକ ଭାସି ଯାଇଥିବା ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜିଲ୍ଲାପାଳ, ଏସ୍‌ଡିଏମ୍‌ ଏବଂ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ଟିମ୍‌ ସହିତ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।  

Advertisment

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ମଙ୍ଗଳବାର ଡେରାଡୁନର ମାଳଦେବତା ଓ କେଶରୱାଲା ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି। ଏହି ୨ଟି ଅଞ୍ଚଳ ବନ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହୋଇଛି। ‘ଏକ୍ସ’ରେ ଏକ ପୋଷ୍ଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ଯୋଗୁ ଡେରାଡୁନରେ ଅନେକ ଘର ଓ ଦୋକାନ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପ୍ରଶାସନ ସହ ଧାମୀ ଯୋଗାଯୋଗରେ ଥିବା ଏବଂ ବ୍ୟକ୍ତିଗତ ଭାବେ ସ୍ଥିତି ସମୀକ୍ଷା କରିଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ପଚାରି ବୁଝିଛନ୍ତି। କଥାବାର୍ତ୍ତା ସମୟ‌ରେ ଧାମୀ ପ୍ରଧାନମନ୍ତ୍ରୀଙ୍କୁ ଘଟଣା ସଂକ୍ରାନ୍ତରେ ବିସ୍ତୃତ ବର୍ଣ୍ଣନା କରିଥିଲେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମୋଦୀ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଧାମୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ଗୃହ‌ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ଶାହ ପ୍ରତିଶ୍ରୁତି ଦେଇଛନ୍ତି। ବର୍ଷା ଲାଗି ରହିଥିବାରୁ ଡେରାଡୁନରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଡେରାଡୁନର ପୌଣ୍ଡା ଅଞ୍ଚଳରେ ଦେବଭୂମି ଶିକ୍ଷାନୁଷ୍ଠାନ ପରିସର ଜଳବନ୍ଦି ହୋଇଯାଇଥିବା ବେଳେ ସେଠାରୁ ପ୍ରାୟ ୨୦୦ ଛାତ୍ରଙ୍କୁ ଏସ୍‌ଡିଆର୍‌ଏଫ୍‌ ଦ୍ବାରା ଉଦ୍ଧାର କରାଯାଇଛି।