ଡେରାଡୁନ: ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶନିବାର ରାତିରେ ଉତ୍ତରାଖଣ୍ଡର ଚମୋଲିରେ ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଭୂସ୍ଖଳନ ଘଟିଛି। ଫଳରେ ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ ରହିଥିବା ବେଳେ ୨୦ରୁ ଅଧିକ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଭୂସ୍ଖଳନ ଯୋଗୁଁ କାମେଡା, ନନ୍ଦପ୍ରୟାଗ ଓ ଚିଙ୍କା ଅଞ୍ଚଳରେ ଜାତୀୟ ରାଜପଥକୁ ମଧ୍ୟ ବନ୍ଦ କରି ଦିଆଯାଇଛି ବୋଲି ରାଜ୍ୟ ଜରୁରୀକାଳୀନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟ ଓ ଆବର୍ଜନା ହଟାଇବା କାର୍ଯ୍ୟ ଯୁଦ୍ଧସ୍ତରରେ ଚାଲିଛି। ଅନ୍ୟପକ୍ଷରେ ୟୁପିର ୧୨ଟି ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ବାରାଣସୀର କାଶୀ ବିଶ୍ୱନାଥ କରିଡର ପାହାଚ ନିକଟରେ ବନ୍ୟାପାଣି ପହଂଚିଛି । ଏହି କାରଣରୁ ବାବା ବିଶ୍ୱନାଥ ଧାମର ଗଙ୍ଗା ଦ୍ୱାର ସମେତ ୩ଟି ଗେଟ୍ରେ ପ୍ରବେଶ ବନ୍ଦ କରାଯାଇଛି। ବର୍ଷା ଓ ଭୂସ୍ଖଳନ ଯୋଗୁଁ ହିମାଚଳ ପ୍ରଦେଶରେ ମୋଟ ୧୩୫ଟି ରାସ୍ତା ବନ୍ଦ ହୋଇଯାଇଛି। ରାଜ୍ୟ ଜରୁରୀକାଳୀନ କେନ୍ଦ୍ର କହିଛି ଯେ ଅନେକ ସହରରେ ବିଜୁଳି ଏବଂ ଜଳ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବିହାରରେ ମଧ୍ୟ ଗଙ୍ଗା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ନଦୀ ଜଳ ପ୍ରବାହିତ ହେଉଛି। ପାଟନା, ମୋତିହାରୀ, ବେତିଆ, ମୁଜାଫରପୁର ଏବଂ ସମସ୍ତିପୁରରେ ଅନେକ ଅଂଚଳ ଜଳବନ୍ଦି ହୋଇ ରହିଛି। ବର୍ଷା ଯୋଗୁଁ କର୍ଣ୍ଣାଟକରେ ଭୂସ୍ଖଳନ ହୋଇଛି। ମହିଶୂର ଡିଭିଜନର ସକଲେଶପୁର ଏବଂ ବାଲୁପେଟ୍ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ମାଙ୍ଗାଲୁରୁ-ବେଙ୍ଗାଲୁରୁ ମଧ୍ୟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।