ପରିବାର ସହ ହେଲିକପ୍ଟରରେ ଖସି ଗଲେ ରାଜପକ୍ଷେ !

କଲମ୍ବୋ : ଗତକାଲି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ମହିନ୍ଦ୍ରା ରାଜପକ୍ଷେ ନିଜ ପରିବାର ସହ ପ୍ରାଣ ବିକଳରେ ରାଷ୍ଟ୍ରପତି ଭବନରୁ ଖସିଯାଇଛନ୍ତି । ସେମାନେ ଏକ ସେନା ହେଲିକପ୍ଚର ମାଧ୍ୟମରେ କଲମ୍ବୋଠାରୁ ୨୭୦ କିଲୋମିଟର ଦୂର ତ୍ରିଙ୍କୋଣମାଲି ସହରରେ ଥିବା ନାଭାଲ ବେସ୍ ବା ନୌସେନା ଘାଟିରେ ଆଶ୍ରୟ ନେଇଛନ୍ତି । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  । ଉକ୍ତ ନାଭାଲ ବେସରେ ରାଜପକ୍ଷେ ଆଶ୍ରୟ ନେଇଥିବା ଜଣାପଡ଼ିବା ପରେ ତାହା ଚାରିପଟେ ବି ଉଗ୍ର ଜନତା ଏକତ୍ରିତ ହେବାରେ ଲାଗିଛନ୍ତି ।

ଶ୍ରୀଲଙ୍କାରେ ଏବେ ସରକାର ବିରୋଧୀ ହିଂସା ଅଣାୟତ୍ତ ହୋଇପଡ଼ିଛି । ଏହି କ୍ଷୁଦ୍ର ଦ୍ବୀପଦେଶ ଏବେ ଧୀରେ ଧୀରେ ଗୃହଯୁଦ୍ଧ ଆଡ଼କୁ ଗତି କରୁଥିବା ଆଶଙ୍କା ଦେଖାଗଲାଣି । ଲୋକମାନଙ୍କ ସମସ୍ତ ରାଗ କ୍ଷମତାରେ ଥିବା ରାଜପକ୍ଷେ ପରିବାର ବିରୋଧରେ କେନ୍ଦ୍ରୀଭୂତ ହୋଇଛି । କାରଣ ଏହି ପରିବାରର ଦୁର୍ନୀତି ଯୋଗୁଁ ଦେଶ ତଳିତଳାନ୍ତ ହୋଇଥିବା ଲୋକେ ମନେକରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ସରକାର ବିରୋଧୀ ହିଂସାରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି ।  ଏହା ସହିତ ଆହତଙ୍କ ସଂଖ୍ୟା ୨୧୭କୁ ବୃଦ୍ଧି ପାଇଛି । ସାରା ଦେଶରେ ହିଂସାକାଣ୍ଡ ଓ ବିକ୍ଷୋଭ ଜାରି ରହିଛି । ଶ୍ରୀଲଙ୍କାରେ ଶାସକ ସମର୍ଥିତ ଗୋଷ୍ଠୀ ଓ ସରକାର ବିରୋଧୀ ଲୋକମାନଙ୍କ ମଧ୍ୟରେ ସଂଘର୍ଷ ଚାଲିଛି । ମହିନ୍ଦ୍ରା ରାଜପକ୍ଷେ ଇସ୍ତଫା ଦେବା ପରେ ଏବେ ଆନ୍ଦୋଳକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜୟପକ୍ଷେଙ୍କ ଇସ୍ତାଫା ଦାବି କରୁଛନ୍ତି । ଶ୍ରୀଲଙ୍କାର ବିରୋଧୀ ଦଳମାନେ ମଧ୍ୟ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରୁଛନ୍ତି ।

 

ସମ୍ବନ୍ଧିତ ଖବର