ନୂଆଦିଲ୍ଲୀ: ଆଜି ପୃଥିବୀ ନିକଟ ଦେଇ ଅତି କ୍ଷୀପ୍ର ବେଗରେ ଏକ ପ୍ରକାଣ୍ଡ ଗ୍ରହାଣୁ ଅତିକ୍ରମ କରିବ। ‘୨୦୦୧ ଏଫ୍ଓ୩୨’ ଭାବେ ନାମିତ ଏହି ପ୍ରକାଣ୍ଡ ଗ୍ରହାଣୁ ଆଜି କିଂବା ଆଗାମୀ କେତେ ଶହ ବର୍ଷ ପରେ ମଧ୍ୟ ପୃଥିବୀ ସହ ଧକ୍କା ଖାଇବ ନାହିଁ ବୋଲି ‘ନାସା’ କହିଛି।
ଭାରତୀୟ ସମୟ ରବିବାର ରାତି ପ୍ରାୟ ୯.୩୦ରେ ଏହି ଗ୍ରହାଣୁ ପୃଥିବୀର ନିକଟତର ହେବ ବୋଲି ଫ୍ରାନ୍ସ୍ର ସର୍ବବୃହତ୍ ଜ୍ୟୋତିର୍ବିଜ୍ଞାନ ଗବେଷଣା କେନ୍ଦ୍ର ‘ପ୍ୟାରିସ୍ ଅବ୍ଜର୍ଭେଟରି’ କହିଛି।
/sambad/media/post_attachments/wp-content/uploads/2021/03/Astroid.jpg)
ଆଜି ଏହା ପୃଥିବୀ ଠାରୁ ପ୍ରାୟ ୨ ନିୟୁତ କିଲୋମିଟର୍ ଦୂରରେ ଥାଇ ଅତିକ୍ରମ କରିଯିବ ବୋଲି ‘ନାସା’ କହିଛି। ଏହି ଦୂରତ୍ୱ ହେଉଛି ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତ୍ୱ ଠାରୁ ପ୍ରାୟ ୫.୨୫ ଗୁଣ ଅଧିକ। କିନ୍ତୁ, ଏହାକୁ ଭବିଷ୍ୟତର ବିପଜ୍ଜନକ ଗ୍ରହାଣୁ ଭାବେ ବର୍ଗିକରଣ କରାଯାଇଛି।
/sambad/media/post_attachments/wp-content/uploads/2021/03/Astroid1.jpg)
‘ସେଣ୍ଟର୍ ଫର୍ ନିୟର୍ ଆର୍ଥ ଅବ୍ଜେକ୍ଟ୍ ଷ୍ଟଡିଜ୍’ର ନିର୍ଦେଶକ ପଲ୍ ଚୋଡାସ୍ କହିଛନ୍ତି, ଆମେ ଠିକ୍ ଭାବେ ‘୨୦୦୧ ଏଫ୍ଓ୩୨’ର ସୂର୍ଯ୍ୟ ପରିକ୍ରମଣ କକ୍ଷ ସମ୍ପର୍କରେ ଜାଣିଛୁ।
‘ନାସା’ କହିବା ଅନୁସାରେ, ‘୨୦୦୧ ଏଫ୍ଓ୩୨’ ଘଣ୍ଟା ପ୍ରତି ୧୨୪,୦୦୦ କିଲୋମିଟର୍ ବେଗରେ ଗତି କରିବ। ପୃଥିବୀ ନିକଟ ଦେଇ ଗତି କରୁଥିବା ଅଧିକାଂଶ ଗ୍ରହାଣୁଙ୍କ ଠାରୁ ଏହାର ବେଗ କ୍ଷୀପ୍ରତର ବୋଲି ‘ନାସା’ କହିଛି।
୨୦ ବର୍ଷ ପୂର୍ବ ଆବିଷ୍କୃତ ଏହି ଗ୍ରହାଣୁର ଆନୁମାନିକ ବ୍ୟାସ ୯୦୦ ମିଟର୍। ଏହାର ପୃଷ୍ଠରେ ପଡୁଥିବା ସୂର୍ଯ୍ୟାଲୋକର ପ୍ରତିଫଳନକୁ ଅଧ୍ୟୟନ କରି ଏହାର ହାରାହାରି ଆକାର ଏବଂ ଗଠିତ ଉପାଦାନ ସଂକ୍ରାନ୍ତରେ ମୋଟାମୋଟି ଧାରଣା ପାଇବେ ବୋଲି ବୈଜ୍ଞାନିକମାନେ ଆଶା କରୁଛନ୍ତି।