ଜମ୍ମୁ: ଜମ୍ମୁରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି ସୁରକ୍ଷାବାହିନୀ। ନାଗ୍ରୋଟା ନିକଟସ୍ଥ ଜମ୍ମୁ -ଶ୍ରୀନଗର ଜାତୀୟ ରାଜପଥରେ ଆଜି ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨ ପୁଲିସ କର୍ମୀ ମଧ୍ୟ ଏହି ଗୁଳି ବିନିମୟରେ ଆହତ ହୋଇଛନ୍ତି। ପୁଲିସ ସୂଚନାନୁଯାୟୀ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ ଯୋଜନା କରି ବିପୁଳ ବିସ୍ଫୋରକ ଏବଂ ଅସ୍ତ୍ରଶସ୍ତ୍ର ସହ କାଶ୍ମୀର ଅଭିମୁଖେ ଯାତ୍ରା କରୁଥିଲେ। ତେବେ ଭୋର୍ ୫ଟା ସେମାନଙ୍କୁ ଠାବ କରି ମିଳିତ ବାହିନୀ ନିପାତ କରିଥିଲା।
ସାମ୍ବା ସେକ୍ଟର୍ରୁ ନାଗ୍ରୋଟା ଟୋଲ୍ ପ୍ଲାଜା ଅଭିମୁଖେ ଆତଙ୍କବାଦୀ ଯାଉଥିବା ନେଇ ଗୁଇନ୍ଦା ଖବର ମିଳିବା ମାତ୍ରେ ତତ୍କ୍ଷଣାତ ସର୍ଚ୍ଚ୍ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀମାନେ ସନ୍ଦେହରେ ଏକ ଟ୍ରକ୍କୁ ଘେରିଯାଇ ଯାଞ୍ଚ କରିବା ବେଳେ ଡାଲାରେ ଲୁଚିଥିବା ଆତଙ୍କବାଦୀମାନେ ଆଖିବୁଜା ଗୁଳିବର୍ଷା ଆରମ୍ଭ କରିଥିଲେ ଏବଂ ଗ୍ରେନେଡ୍ ମାଡ଼ କରିଥିଲେ। ପାଲଟା ଜବାବ ଦେଇ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚାଳନା କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଏନ୍କାଉଣ୍ଟର ଚାଲିଥିଲା। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଆତଙ୍କବାଦୀ ନିପାତ ହୋଇଥିଲେ। ସେମାନେ ଜୈସ୍ ଏ ମହମ୍ମଦ୍ର ଆତଙ୍କବାଦୀ ବୋଲି ଜଣାପଡ଼ିଛି। ନାଗ୍ରୋଟା ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ ରହିଛି। ଟ୍ରକ୍ରୁ ୭ କିଲୋରୁ ଅଧିକ ଆର୍ଡିଏକ୍ସ, ୧୧ଟି ଏକେ-୪୭ ବନ୍ଧୁକ, ୬୦ରୁ ଅଧିକ ଗ୍ରେନେଡ, ବିପୁଳ ଗୁଳିଗୋଳା ଜବତ ହୋଇଛି। ଏହି ଘଟଣା ପରେ ବିଭିନ୍ନ ସେନା ଶିବିରରେ ମଧ୍ୟ ସୁରକ୍ଷା ବଢ଼ାଇ ଦିଆଯାଇଛି।
ପିଓକେରେ ଆକ୍ରମଣ ଗୁଜବ: ଡିଜିଏମ୍ଓ
ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ଆଜି ପାକ୍ ଅଧିକୃତ କାଶ୍ମୀରରେ କୌଣସି ପ୍ରକାର ଆକ୍ରମଣ ହୋଇନାହିଁ। ପିଓକେରେ ଭାରତୀୟ ସେନା ବିମାନ ଆକ୍ରମଣ କରିଥିବା ନେଇ ଯେଉଁ ଖବର ପ୍ରଚାରିତ ହେଉଛି ତାହା ଗୁଜବ ବୋଲି ସେନା ଅପରେସନ୍ର ମହାନିର୍ଦ୍ଦେଶକ (ଡିଜିଏମ୍ଓ)ଲେଫ୍ଟନାଣ୍ଟ ଜେନେରାଲ ପରମ୍ଜିତ ସିଂହ କହିଛନ୍ତି। ପିଓକେରେ ଭାରତୀୟ ସେନା ବିମାନ ଆକ୍ରମଣ କରିଥିବା ସଂକ୍ରାନ୍ତ ମିଥ୍ୟା ଖବରକୁ କେତେକ ସଂସ୍ଥା ପ୍ରମୁଖତାର ସହ ପରିବେଷଣ କରିଥିବାରୁ ଡିଜିଏମ୍ଓ କ୍ଷୋଭ ପ୍ରକାଶ କରିଛନ୍ତି ଏବଂ ଏହି ରିପୋର୍ଟ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି।