ନୂଆଦିଲ୍ଲୀ: ପୂର୍ବରୁ ବିଦେଶରେ ଚାକିରି କରିବା ନେଇ ଭାରତୀୟଙ୍କ ମଧ୍ୟରେ ଆଗ୍ରହ ରହିଥିଲା। କିନ୍ତୁ ଏବେ ଅଧିକରୁ ଅଧିକ ଭାରତୀୟ ବିଦେଶରେ ବସବାସ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗୁଜରାଟର ଲୋକମାନେ ଭାରତକୁ ଆଉ ପସନ୍ଦ କରୁ ନାହାନ୍ତି। ଗତ ଏକ ବର୍ଷ ମଧ୍ୟରେ ଗୁଜରାଟର ଭାରତୀୟ ନାଗରିକତ୍ୱ ତ୍ୟାଗ କରୁଥିବା ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି।
ଦେଶରେ ୩ ଟି ରାଜ୍ୟରେ ବହୁ ଲୋକ ସେମାନଙ୍କର ଭାରତୀୟ ନାଗରିକତ୍ୱ ଛାଡିବାକୁ ଚାହୁଁଛନ୍ତି । ଗୁଜରାଟର ଲୋକମାନେ ଭାରତ ଅପେକ୍ଷା ଆମେରିକା, ୟୁକେ, କାନାଡା ଏବଂ ଅଷ୍ଟ୍ରେଲିଆରେ ବସବାସ କରିବାକୁ ପସନ୍ଦ କରୁଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଗୁଜରାଟର ୪୮୫ ଲୋକ ୨୦୨୩ ମସିହାରେ ସେମାନଙ୍କର ଭାରତୀୟ ନାଗରିକତ୍ୱ ଛାଡିଥିଲେ। ଯେତେବେଳେ କି ୨୦୨୨ରେ ଏହି ସଂଖ୍ୟା ୨୪୧ ଥିଲା । ଭାରତ ଛାଡୁଥିବା ଅଧିକାଂଶ ଗୁଜରାଟୀ୩୦-୪୫ ବର୍ଷ ବୟସ ବର୍ଗରେ ଅଛନ୍ତି।
ସଂସଦୀୟ ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଭାରତୀୟ ନାଗରିକତ୍ୱ ଛାଡିଥିବା ରାଜ୍ୟମାନଙ୍କ ମଧ୍ୟରେ ଦିଲ୍ଲୀ ପ୍ରଥମ ସ୍ଥାନରେ, ପଞ୍ଜାବ ଦ୍ୱିତୀୟ ସ୍ଥାନରେ ଏବଂ ଗୁଜରାଟ ତୃତୀୟ ସ୍ଥାନରେ ରହିଥିଲା। ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଦିଲ୍ଲୀର ୬୦,୪୧୪ ଲୋକ, ପଞ୍ଜାବରେ ୨୮,୧୧୭ ଲୋକ ଏବଂ ଗୁଜରାଟର ୨୨,୩୦୦ ଲୋକ ସେମାନଙ୍କର ଭାରତୀୟ ନାଗରିକତ୍ୱ ଛାଡିଛନ୍ତି। ଗୁଜରାଟରେ ୪୮୫ ଲୋକ ୨୦୨୩ ମସିହାରେ ସେମାନଙ୍କର ଭାରତୀୟ ନାଗରିକତ୍ୱ ଛାଡିଛନ୍ତି। ଏହି ପରିସ୍ଥିତିରେ ଗୁଜରାଟ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛି।
୨୦୨୮ ସୁଦ୍ଧା ପାସପୋର୍ଟ ଆତ୍ମସମର୍ପଣ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କୋଭିଡ୍ ପରେ ପାସପୋର୍ଟ ଛାଡୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଅନେକ ଯୁବକ ବିଦେଶକୁ ଅଧ୍ୟୟନ ପାଇଁ ଯାଇ ସେଠାରେ ବସବାସ କରୁଛନ୍ତି। ଏହିପରି ଛାତ୍ରଛାତ୍ରୀମାନଙ୍କର ସଂଖ୍ୟା ବୃଦ୍ଧି ପାସପୋର୍ଟ ଛାଡୁଥିବା ଲୋକଙ୍କ ସଂଖ୍ୟା ବଢ଼ାଉଛି। ପାସପୋର୍ଟ ପରାମର୍ଶଦାତା ରିତେଶ ଦେଶାଇ କହିଛନ୍ତି ଆଶା କରାଯାଉଛି ୨୦୨୮ସୁଦ୍ଧା ପାସପୋର୍ଟ ଦାଖଲ କରୁଥିବା ଲୋକଙ୍କ ସଂଖ୍ୟାରେ ବହୁତ ବୃଦ୍ଧି ଘଟିବ କାରଣ ବିଦେଶରେ ପହଞ୍ଚିଥିବା ଲୋକମାନେ ସେଠାକାର ନାଗରିକତ୍ୱ ଗ୍ରହଣ କରୁଛନ୍ତି।
୨୦୧୪ ରୁ ୨୦୨୩ ପର୍ଯ୍ୟନ୍ତ ଭାରତୀୟ ନାଗରିକତ୍ୱ ତ୍ୟାଗ କରୁଥିବା ଲୋକଙ୍କ ସଂଖ୍ୟା:
୨୦୧୪: ୧,୨୯,୩୨୮
୨୦୧୫: ୧,୩୧,୪୮୯
୨୦୧୬: ୧,୪୧,୬୦୩
୨୦୧୭: ୧,୩୩,୦୪୯
୨୦୧୮: ୧,୩୪,୫୬୧
୨୦୧୯: ୧,୪୪,୦୧୭
୨୦୨୦: ୮୫,୨୫୬
୨୦୨୧: ୧,୬୩,୩୭୦
୨୦୨୨: ୨,୨୫,୬୨୦
୨୦୨୩ (ଜୁନ୍ ସୁଦ୍ଧା): ୮୭,୦୨୬