ଲାସ୍ ଭେଗାସ୍: ଡେଟିଂ ଆପ୍ସ ସାହାଯ୍ୟରେ ଠକେଇ ଏବେ ସାଧାରଣ ହୋଇଗଲାଣି। ଆମେରିକାରେ ମଧ୍ୟ ଜଣେ ମହିଳା ଡେଟିଂ ଆପ୍ ସାହାଯ୍ୟରେ ଅନେକ ଲୋକଙ୍କୁ ଠକିଥିବାର ଏକ ମାମଲା ସାମ୍ନାକୁ ଆସିଛି। ଏବେ ଲାସ୍ ଭେଗାସ୍ କର୍ତ୍ତୃପକ୍ଷ ସେହି ଲୋକଙ୍କୁ ଖୋଜୁଛନ୍ତି ଯେଉଁମାନେ ମହିଳାଙ୍କ ଠକେଇର ଶିକାର ହୋଇଥିଲେ। ଅରୋରା ଫେଲପ୍ସ ନାମକ ଜଣେ ମହିଳା ଡେଟିଂ ଆପ୍ସ ବ୍ୟବହାର କରି ଲୋକଙ୍କୁ ଫସାଇବା ସହିତ ଡ୍ରଗ୍ସ ମଧ୍ୟ ଦେଉଥିଲେ ଏବଂ ତା’ପରେ ସେମାନଙ୍କ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ ସୂଚନା ଚୋରି କରୁଥିଲେ ବୋଲି ଅଭିଯୋଗ ହୋଇଛି। 

Advertisment

ଶୁକ୍ରବାର ଦିନ ଏଫବିଆଇ ଅରୋରା ଫେଲପ୍ସ ଡେଟିଂ ସ୍କାମର ପୀଡିତମାନଙ୍କୁ ସାମ୍ନାକୁ ଆସି ସେମାନଙ୍କୁ ରିପୋର୍ଟ କରିବାକୁ କହିଛି। ରିପୋର୍ଟ ଅନୁସାରେ, ଫେଲପ୍ସ ଲୋକଙ୍କ କାର ଚୋରି କରୁଥିଲେ ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଉଥିଲେ। ମହିଳା ଜଣକ ଲୋକଙ୍କ କ୍ରେଡିଟ୍ କାର୍ଡ ବ୍ୟବହାର କରି ବିଳାସପୂର୍ଣ୍ଣ ଜିନିଷ ଓ ସୁନା କିଣୁଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ଷ୍ଟେରଏଡ୍ ଇଞ୍ଜେକ୍ସନ୍ ଦେବା ପରେ ସେମାନଙ୍କର ବ୍ୟାଙ୍କ ବିବରଣୀ ଜାଣିବାକୁ ମଧ୍ୟ ଚେଷ୍ଟା କରୁଥିଲେ।

୪୩ ବର୍ଷୀୟ ଫେଲପ୍ସ ବର୍ତ୍ତମାନ ମେକ୍ସିକୋରେ ଅଟକ ଅଛନ୍ତି ଏବଂ ତାଙ୍କ ବିରୁଦ୍ଧରେ ଠକେଇ ସମେତ ୨୧ଟି ଅଭିଯୋଗ ରହିଛି। କର୍ତ୍ତୃପକ୍ଷ କହିଛନ୍ତି ଯେ ଫେଲପ୍ସଙ୍କ ବିରୁଦ୍ଧରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବାର ଅଭିଯୋଗ ମଧ୍ୟ ରହିଛି। ଫେଲପ୍ସ ଜଣେ ପୀଡିତଙ୍କୁ ବେହୋସ କରି ଅପହରଣ କରିଥିଲେ ଏବଂ ତାଙ୍କୁ ହ୍ୱିଲଚେୟାର ସାହାଯ୍ୟରେ ଆମେରିକା-ମେକ୍ସିକୋ ସୀମା ପାର କରାଇଥିଲେ। ତା'ପରେ ସେ ତାଙ୍କୁ ଏକ ହୋଟେଲ ରୁମକୁ ନେଇଥିଲେ, ଯେଉଁଠାରେ ପରେ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆଉ ଜଣେ ପୀଡିତଙ୍କୁ ସପ୍ତାହେ ଧରି ପ୍ରେସକ୍ରିପସନ୍ ସିଡେଟିଭ୍ ଦେବା ପରେ ସେ କୋମାକୁ ଚାଲିଯାଇଥିଲେ। ଅନ୍ୟ ଏକ ମାମଲାରେ, ଫେଲପ୍ସ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କ ଘରକୁ ଲଞ୍ଚ ଡେଟରେ ଯାଇଥିଲେ ଏବଂ ତାଙ୍କୁ ସେଠାରେ ଡ୍ରଗ୍ସ ଦେଇଥିଲେ। ଏହାପରେ ସେ ତାଙ୍କ ଆଇଫୋନ୍, ବ୍ୟାଙ୍କ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଓ ଆଇପ୍ୟାଡ୍ ଚୋରି କରି ନେଇଥିଲେ । ଏହିପରି ଅନେକ ମାମଲାରେ ତାଙ୍କ ନାମରେ ଅଭିଯୋଗ ହୋଇଛି।  

କର୍ତ୍ତୃପକ୍ଷ କହିଛନ୍ତି ଯେ ଫେଲପ୍ସ ତାଙ୍କ ଟାର୍ଗେଟକୁ ଖୋଜିବା ପାଇଁ ଟିଣ୍ଡର, ହିଞ୍ଜ ଓ ବମ୍ବଲ ଭଳି ଲୋକପ୍ରିୟ ଡେଟିଂ ଆପ୍ ବ୍ୟବହାର କରିଥିଲେ। ଯଦି ଫେଲପ୍ସ ଠକେଇ ଓ ଅପହରଣର ଗୋଟିଏ ମଧ୍ୟ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ସର୍ବାଧିକ ଆଜୀବନ କାରାଦଣ୍ଡ ହୋଇପାରେ।