ଚିଲିର ଲାସ୍କାର୍‌ ଆଗ୍ନେୟଗିରିରେ ଘଟିଲା ଉଦ୍‌ଗୀରଣ; ୨୦,୦୦୦ ଫୁଟ୍‌ ଉଚ୍ଚକୁ ଉଠିଳା ଧୂଆଁ ଓ ପାଉଁଶ

ସାଣ୍ଟିଆଗୋ: ଶନିବାର ରାତିରେ ଚିଲିର ଉତ୍ତରାଞ୍ଚଳରେ ଥିବା ଆଣ୍ଡିଜ୍‌ ପର୍ବତମାଳାରେ ଆଗ୍ନେୟଗିରି ଉଦ୍‌ଗୀରଣ ଘଟିବାରୁ ସାମାନ୍ୟ ଭୂକମ୍ପନ ଘଟିବା ସହିତ ନିର୍ମଳ ଆକାଶର ୨୦,୦୦୦ ଫୁଟ୍‌ ଉପରକୁ ଧୂଆଁ ଓ ପାଉଁଶର ବାଦଲ ଉଠିଥିଲା।

ଚିଲିର ‘ନ୍ୟାସ୍‌ନାଲ୍‌ ଜିଓଲୋଜି ଓ ମାଇନିଙ୍ଗ୍‌ ସର୍ଭିସ୍‌’ ରିପୋର୍ଟ କରିଛି ଯେ, ରାତି ୧୨.୩୬ରେ ‘ଲାସ୍କାର୍‌ ଆଗ୍ନେୟଗିରି’ ଉଦ୍‌ଗୀରଣ ହୋଇଥିଲା। ଫଳରେ ଆକାଶର ୨୦,୦୦୦ ଫୁଟ୍‌ରୁ ଅଧିକ ଉଚ୍ଚକୁ ପାଉଁଶ ଓ ଉତ୍ତପ୍ତ ବାଷ୍ପ ଉଠିଥିଲା।

ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ଆବଶ୍ୟକ ପଡ଼ିଲେ ଆଗ୍ନେୟଗିରିଠାରୁ ୩୦ କିଲୋମିଟର୍‌ ଦୂରରେ ଅବସ୍ଥିତ ନିକଟବର୍ତ୍ତୀ ନଗରୀ ତାଲାବ୍ରେରୁ ଜନସ୍ଥାନାନ୍ତରଣ ପାଇଁ ସଜାଗ ରହିବାକୁ କୁହାଯାଇଥିଲା।

Image Grabbed from Video

ଏହି ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁଁ କିଛି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଆସିନାହିଁ।

ସୂଚନାଯୋଗ୍ୟ, ସମୁଦ୍ର ପତ୍ତନଠାରୁ ୧୮,୩୪୬ ଫୁଟ୍‌ ଉଚ୍ଚରେ ଅବସ୍ଥିତ ‘ଲାସ୍କାର୍‌ ଆଗ୍ନେୟଗିରି’ ଜନପ୍ରିୟ ପର୍ଯ୍ୟଟନ କେନ୍ଦ୍ର ସାନ୍‌ ପେଡ୍ରୋ ଡି ଆଟାକାମା ଠାରୁ ୭୦ କିଲୋମିଟର୍‌ ଦୂର।

୧୯୯୩, ୨୦୦୬ ଏବଂ ୧୦୧୫ରେ ‘ଲାସ୍କାର୍‌’ରେ ଉଦ୍‌ଗୀରଣ ସଂଘଠିତ ହୋଇଥିଲେ ବି ତାହାର ପରିମାଣ ଥିଲା ଖୁବ୍‌ କମ୍।

ସମ୍ବନ୍ଧିତ ଖବର