ମୁମ୍ବାଇର ତାଜ ହୋଟେଲକୁ ଉଡ଼ାଇଦେବାକୁ ଲସ୍କର-ଇ-ତୋଇବାର ଧମକ

ମୁମ୍ବାଇ : ପୁଣି ଥରେ ଚର୍ଚ୍ଚାକୁ ଆସିଛି ମୁମ୍ବାଇର ପ୍ରସିଦ୍ଧ ତାଜ ହୋଟେଲ । ଏହି ହୋଟେଲକୁ ଉଡ଼ାଇଦେବାକୁ ଧମକ ମିଳିଛି । ଗତ ରାତି ସାଢେ ୧୨ଟା ସମୟରେ ପାକିସ୍ତାନରୁ କେହି ଜଣେ ଫୋନ କରି ଏହାକୁ ଉଡ଼ାଇଦେବାକୁ ଧମକ ଦେଇଛି । ଏହା ପରେ ତାଜ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ରାତି ସାଢେ ୧୨ଟା ସମୟରେ ଏକ ପାକିସ୍ତାନୀ ନମ୍ବରରୁ ତାଜର କର୍ମଚାରୀଙ୍କ ନିକଟକୁ ଏହି ଫୋନ ଆସିଥିଲା । ସଂପୃକ୍ତ ବ୍ୟକ୍ତି ନିଜକୁ ଲସ୍କର-ଇ-ତୋଇବାର ସଦସ୍ୟ କହୁଥିଲା ଓ ୨୦୦୮ ପରି ତାଜକୁ ଉଡ଼ାଇଦେବାକୁ ଧମକ ଦେଇଥିଲା ।
ଏହାର କିଛି ସମୟ ପରେ ବାନ୍ଦ୍ରାସ୍ଥିତ ତାଜଲାଣ୍ଡସ ହୋଟେଲ କୁ ଆଉ ଏକ ଫୋନ ଆସି ସମାନ ଧରଣର ଧମକ ଆସିଥିଲା । ଏଥର ମଧ୍ୟ ସେହି ବ୍ୟକ୍ତି ନିଜକୁ ଲସ୍କର-ଇ-ତୋଇବାର ସଦସ୍ୟ କହୁଥିଲା ଓ ଉକ୍ତ ହୋଟେଲକୁ ଉଡ଼ାଇଦେବାକୁ ଧମକ ଦେଇଥିଲା । ଏହି ଦୁଇଟିଯାକ ଫୋନ ସମାନ ପାକିସ୍ତାନୀ ନମ୍ବରରୁ ଆସିଥିଲା ।
ହୋଟେଲ ପକ୍ଷରୁ ପୁଲିସକୁ ଏ ସଂପର୍କରେ ସୂଚୀତ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛି ଓ ହେଟେଲର ସୁରକ୍ଷା ବଢାଇଦେଇଛି ।
୨୦୦୮ ନଭେମ୍ବର ୨୬ରେ ପାକିସ୍ତାନୀ ଆତଙ୍କବାଦୀମାନେ ତାଜ ହୋଟେଲ ସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିଲେ । ତାଜରେ ବନ୍ଧକ ଥିବା ପର୍ଯ୍ୟଟକଙ୍କୁ ଏନଏସଜି କମାଣ୍ଡୋ ମୁକ୍ତ କରିଥିଲେ ।

ସମ୍ବନ୍ଧିତ ଖବର