ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାଙ୍କୁ ଆଲର୍ଟ ଜାରି; ଲସ୍କର ହିଟ୍‌ ଲିଷ୍ଟରେ ମୋଦୀ, ଶାହ, କୋହଲି

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନାମ ରହିଥିବା ଜଣାପଡ଼ିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)କୁ ଏ ସମ୍ପର୍କିତ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏହି ଚିଠି ମାଧ୍ୟମରେ ଆତଙ୍କବାଦୀ ସଂସ୍ଥା ଲସ୍କର-ଏ-ତୋଏବା ମୋଦୀ, ବିରାଟ, ଶାହ ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ଏହି ଭାରତୀୟ ନେତାଙ୍କୁ ଟା‌ର୍ଗେଟ୍‌ କରିବାକୁ ପାକିସ୍ତାନର ଲସ୍କର-ଏ-ତୋଏବା ତା’ର ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଇଛି ବୋଲି ଜଣାପଡ଼ିଛି। ଏହି ଧମକପୂର୍ଣ୍ଣ ପତ୍ର ଲସ୍କର-ଏ-ତୋଏବାର କୋଜିକୋଡ଼ ୟୁନିଟ୍‌ ପକ୍ଷରୁ ଜାରି କରାଯାଇଛି। ଏହାବ୍ୟତୀତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପୂର୍ବତନ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲିକ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପି କାର୍ଯ୍ୟକାରୀ ସଭାପତି ଜେ.ପି. ନଡ୍ଡା, ଲାଲକୃଷ୍ଣ ଆଡଭାନୀ, ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ପ୍ରମୁଖଙ୍କ ନାମ ମଧ୍ୟ ଏହି ହିଟ୍‌ ଲିଷ୍ଟରେ ରହିଛି।

ଏଭଳି ଏକ ଧମକପୂର୍ଣ୍ଣ ଚିଠି ପାଇବା ପରେ ଏନ୍‌ଆଇଏ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସଜାଗ ରହିବାକୁ ପରାମର୍ଶ ଦେଇଛି। ସେହିଭଳି ଜମାତ୍‌-ଉଦ୍‌-ଦାୱାର ମୁଖ୍ୟ ଆତଙ୍କବାଦୀ ହାଫିଜ୍‌ ସୟିଦ୍‌ ମଧ୍ୟ ଭାରତ ବିରୋଧରେ ଜିହାଦ୍‌ ଚଳାଇ ରଖିବାକୁ ଷଡ଼ଯନ୍ତ୍ର କରୁଛି ବୋଲି ଏନ୍‌ଆଇଏ କହିଛି। ଲସ୍କର ହିଟ୍‌ ଲିଷ୍ଟରେ ଥିବା ଅଧିକାଂଶ ନେତାଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଭାରତ ବିରୋଧରେ ଆକ୍ରମଣ ଓ ଷଡ଼ଯନ୍ତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର