ନୂଆଦିଲ୍ଲୀ: ଢେର୍ କିଛି ବର୍ଷ ଆଇସିସି ଇଭେଣ୍ଟ୍ ଜିତି ନପାରିବାର ଅଧୁରା ଧାରା ଭିତରେ ରହିଥିବା ଭାରତୀୟ କ୍ରିକେଟ୍ ଦଳ ଦେଢ଼ ବର୍ଷ ଭିତରେ ବଡ଼ ଲମ୍ଫ ମାରିଛି। ବିଗତ ୩ ଆଇସିସି ସୀମିତ ଓଭର ପ୍ରତିଯୋଗିତାରେ ୨୪ରୁ ୨୩ ମ୍ୟାଚ୍ ଜିତି ଉଲ୍ଲେଖନୀୟ ପ୍ରଦର୍ଶନର ନିଖୁଣ ନିଦର୍ଶନ ଦେଖାଇଛି। ଏକମାତ୍ର ପରାଜୟ ରୋହିତ ଶର୍ମାଙ୍କ ଦଳ ୨୦୨୩ ଦିନିକିଆ ବିଶ୍ବକପ୍ ଫାଇନାଲ୍ରେ ହାରିଛି। ୨୦୨୩ ଅକ୍ଟୋବର-ନଭେମ୍ବର ମାସରେ ଖେଳାଯାଇଥିବା ଏହି ଦିନିକିଆ ବିଶ୍ବକପ୍ରେ ଭାରତ କ୍ରମାଗତ ୧୧ ମ୍ୟାଚ୍ ଜିତି ଫାଇନାଲ୍ ଯାଇଥିଲେ ମଧ୍ୟ ଅହମଦାବାଦରେ ଖେଳାଯାଇଥିବା ଫାଇନାଲ୍ରେ ଅଷ୍ଟ୍ରେଲିଆ ନିକଟରୁ ହାରି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ୨୦୨୪ ଜୁନ୍ ମାସରେ ଅନୁଷ୍ଠିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ୯ ମ୍ୟାଚ୍ରୁ ୮ଟି ଜିତି ବିଜେତା ହୋଇଥିଲା। ଗୋଟିଏ ଗ୍ରୁପ୍ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏବେ ସମସ୍ତ ୩ ଗ୍ରୁପ୍ ମ୍ୟାଚ୍ ସହ ସେମିଫାଇନାଲ୍ ଓ ଫାଇନାଲ୍ ଜିତି ୧୨ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଛି।
ଭାରତ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଭେନ୍ୟୁରେ ଦିନିକିଆ ଫର୍ମାଟରେ ଅପରାଜିତ ରହିବାରେ ରବିବାର ନ୍ୟୁଜିଲାଣ୍ଡ୍ର ସମକକ୍ଷ ହୋଇଛି। ଦୁବାଇରେ ଭାରତ ୧୧ ମ୍ୟାଚ୍ ଖେଳି ୧୦ ଜିତିଛି, ଗୋଟିଏ ଟାଇ ରହିଛି। ନ୍ୟୁଜିଲାଣ୍ଡ୍ ଡୁନେଡିନ୍ରେ ୧୦ ଖେଳି ୧୦ ଜିତିଛି। ଭାରତ ମଧ୍ୟ ନିଜ ଘରୋଇ ଗ୍ରାଉଣ୍ଡ୍ ଭାବେ ଇନ୍ଦୋରରେ ୭ ଖେଳି ୭ ଜିତିଛି। କୌଣସି ପୁରୁଷ ଆଇସିସି ପ୍ରତିଯୋଗିତାର ଫାଇନାଲ୍ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହେବାରେ ରୋହିତ ଶର୍ମା ଦ୍ବିତୀୟ ଭାରତୀୟ ଏବଂ ବିଶ୍ବର ଚତୁର୍ଥ ଅଧିନାୟକ ହୋଇଛନ୍ତି। ପୂର୍ବ ୩ ଜଣ ହେଉଛନ୍ତି କ୍ଲାଇଭ୍ ଲୟଡ୍ (ୱେଷ୍ଟଇଣ୍ଡିଜ୍, ୧୯୭୫ ଦିନିକିଆ ବିଶ୍ବକପ୍), ରିକି ପଣ୍ଟିଂ (ଅଷ୍ଟ୍ରେଲିଆ, ୨୦୦୩ ଦିନିକିଆ ବିଶ୍ବକପ୍), ମହେନ୍ଦ୍ର ସିଂହ ଧୋନି (ଭାରତ, ୨୦୧୧ ଦିନିକିଆ ବିଶ୍ବକପ୍)।
ଆଉ ଏକ ଉଲ୍ଲେଖନୀୟ ପରିସଂଖ୍ୟାନ ହେଉଛି ଦୁବାଇ ଫାଇନାଲ୍ରେ ରବିବାର ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ମୋଟ ୭୩ ଓଭର ସ୍ପିନ୍ ବୋଲିଂ କରିଥିଲେ। ଯାହାକି କୌଣସି ଆଇସିସି ଦିନିକିଆ ପ୍ରତିଯୋଗିତା ମ୍ୟାଚ୍ରେ ସର୍ବାଧିକ ହୋଇଛି। ରବିବାର ଭାରତ ୩୮ ଓଭର ଏବଂ ନ୍ୟୁଜିଲାଣ୍ଡ୍ ୩୫ ଓଭର ସ୍ପିନରଙ୍କ ଦ୍ବାରା ବୋଲିଂ କରାଇଥିଲା। ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ଏହି ରେକର୍ଡ ୩ ଥର ଟପିଛି। ପ୍ରତିଟି ମ୍ୟାଚ୍ ଦୁବାଇରେ ଖେଳାଯାଇଛି। ଭାରତ-ନ୍ୟୁଜିଲାଣ୍ଡ୍ ଗ୍ରୁପ୍ ମ୍ୟାଚ୍ରେ ଉଭୟ ଦଳ ୬୨.୨ ଓଭର ସ୍ପିନରଙ୍କ ଜରିଆରେ ବୋଲିଂ କରିଥିଲେ। ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍ରେ ଏହା ୬୫.୧ ଓଭରକୁ ବଢ଼ିଯାଇଥିଲା। ନଚେତ୍ ସେ ପର୍ଯ୍ୟନ୍ତ ୨୫ ବର୍ଷର ତଳର ରେକର୍ଡର ଶୀର୍ଷରେ ରହିଥିଲା। ୧୯୯୮ ମସିହାର ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଢାକାରେ ଖେଳାଯାଇଥିବା ପାକିସ୍ତାନ-ୱେଷ୍ଟଇଣ୍ଡିଜ୍ କ୍ବାର୍ଟରଫାଇନାଲ୍ରେ ମୋଟ ୬୦ ଓଭର ସ୍ପିନ୍ ପଡ଼ିଥିଲା। ୨୦୧୯ ଦିନିକିଆ ବିଶ୍ବକପ୍ରେ ହେଡିଙ୍ଗ୍ଲେରେ ଖେଳାଯାଇଥିବା ଆଫଗାନିସ୍ତାନ-ପାକିସ୍ତାନ ଗ୍ରୁପ୍ ମୁକାବିଲାରେ ମଧ୍ୟ ୬୦ ଓଭର ସ୍ପିନ୍ ବୋଲିଂ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/11/DROiqe85jSBllKcddvJl.jpg)