କାନ୍ଦାହାର ମସଜିଦରେ ବୋମା ବିସ୍ଫୋରଣ, ୧୬ ମୃତ

କାନ୍ଦାହାର : ଆଫଗାନିସ୍ତାନରେ ତାଲିବାନର ଶାସନ ଫେରିବା ପରେ ସଂଖ୍ୟାଲଘୁ ସିହା, ଅହମଦିଆ ଆଦିଙ୍କ ଉପରେ ଅତ୍ୟାଚାର ବଢିଚାଲିଛି । ଆଜି କାନ୍ଦାହାରରେ ସିହା ସଂପ୍ରଦାୟର ଏକ ମସଜିଦଉପରେ ଆତ୍ମଘାତୀ ବୋମା ବିସ୍ଫୋରଣ କରାଯାଇଛି । ଏଥିରେ ଏପର୍ଯ୍ୟନ୍ତ ୧୬ ଜଣ ମୃତ୍ୟୁବରଣ କରିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । କିନ୍ତୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି ।

ମିଳିଥିବା ସୂଚନା ଅନୁସାରେ କାନ୍ଦାହାରର ଇମାମ ବରଗା ମସଜିଦରେ ଆଜି ଶୁକ୍ରବାର ନମାଜ ପଢିବା ପାଇଁ ବେଶ ଗହଳି ଥିଲା । ଏହି ସମୟରେ ସେଠାରେ ବୋମା ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ଫଳରେ ଅନେକ ଲୋକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ବୋଲି ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର କାରି ସଇଦ୍ ଖୋସତି ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାନ୍ତି ।

ଗତ ଶୁକ୍ରବାର ମଧ୍ୟ ଆଫଗାନିସ୍ତାନର ସିହା ଲୋକଙ୍କ ଉପରେ ଆକ୍ରମଣ ହୋଇଥିଲା । କୁନ୍ଦୁଜର ଏକ ସିହା ମସଜିଦରେ ବୋମା ବିସ୍ଫୋରଣ ହେବାରୁ ଅତି କମରେ ୫୦ ଜଣ ମୃତ୍ୟୁବରଣ କରିଥିବାବେଳେ ୧୫୦ରୁ ଅଧିକ ଆହତ ହୋଇଥିଲେ । ଏହି ଆକ୍ରମଣ ପରେ ସଂଖ୍ୟାଲଘୁଙ୍କ ଧର୍ମସ୍ଥଳୀର ସୁରକ୍ଷା ପାଇଁ ତାଲିବାନ ପକ୍ଷରୁ ଆଶ୍ବାସନା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର