ନୂଆଦିଲ୍ଲୀ: ଆସନ୍ତା ମାସରେ ଲୋକସଭା ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ନିର୍ବାଚନ ପୂର୍ବ ଶେଷ ମନ୍‌ କୀ ବାତ୍‌ରେ ଉଦ୍‌ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ରେଡିଓ ଉଦ୍‌ବୋଧନରେ ଯୁବ ଭୋଟର୍‌ଙ୍କ ଉପରେ ଫୋକସ୍‌ କରି କହିଛନ୍ତି ୧୮ତମ ଲୋକସଭା ଦେଶର ଯୁବବର୍ଗଙ୍କ ଆକାଂକ୍ଷାର ପ୍ରତୀକ ହେବ। ରେଡିଓ କାର୍ଯ୍ୟକ୍ରମର ୧୧୦ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀ ନିର୍ବାଚନ କମିସନଙ୍କ ଦ୍ବାରା ଚାଲିଥିବା ଅଭିଯାନ ‘ମେରା ପେହଲା ଭୋଟ୍ - ଦେଶ କେ ଲିଏ’ (ମୋର ପ୍ରଥମ ଭୋଟ୍‌ ଦେଶପାଇଁ)କୁ ଉଲ୍ଲେଖ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ପ୍ରଥମ ଥର ମତଦାତାଙ୍କୁ ଅଧିକ ସଂଖ୍ୟାରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଅନୁରୋଧ କରିବା। ‘୧୮ ବର୍ଷ ହେବା ପରେ ଆପଣଙ୍କୁ ୧୮ତମ ଲୋକସଭାର ସଦସ୍ୟ ଚୟନ କରିବାର ସୁଯୋଗ ମିଳୁଛି। ଅର୍ଥାତ୍ ୧୮ତମ ଲୋକସଭା ମଧ୍ୟ ଯୁବବର୍ଗଙ୍କ ଆକାଂକ୍ଷାର ପ୍ରତୀକ ହେବ। ତେଣୁ ଆପଣଙ୍କ ଭୋଟ୍‌ ମୂଲ୍ୟ ବହୁଗୁଣିତ ହୋଇଛି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ନିଜର ଯୁବଶକ୍ତି ପାଇଁ ଗର୍ବିତ ଏବଂ ଏହା ଉତ୍ସାହ ଏବଂ ଶକ୍ତିରେ ପରିପୂର୍ଣ୍ଣ।

Advertisment

ନିର୍ବାଚନ ପ୍ରକ୍ରିୟାରେ ଆମର ଯୁବପିଢ଼ି ଯେତେ ଅଧିକ ଅଂଶଗ୍ରହଣ କରିବେ, ଦେଶର ଫଳାଫଳ ସେତେ ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସାଧାରଣ ନିର୍ବାଚନର ହଟଚମଟ ଭିତରେ ଯୁବକମାନେ କେବଳ ରାଜନୈତିକ କାର୍ଯ୍ୟକଳାପର ଅଂଶ ହେବା ଉଚିତ ନୁହେଁ, ବରଂ ସେହି ସମୟ ମଧ୍ୟରେ ହେବାକୁଥିବା ଆଲୋଚନା ଓ ବିତର୍କ ବିଷୟରେ ମଧ୍ୟ ସଚେତନ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏବେ ସାଧାରଣ ନିର୍ବାଚନର ସମୟ। ଯେମିତି ଗତଥର (୨୦୧୯) ଘଟିଥିଲା, ସମ୍ଭବତଃ ମାର୍ଚ୍ଚ ମାସରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା 'ମନ୍ କି ବାତ୍'ର ଏକ ବଡ଼ ଉପଲବ୍ଧି ଯେ ଏହାର ସମସ୍ତ ୧୧୦ ଟି ଏପିସୋଡରେ ଏହାକୁ ସରକାରୀ ଛାୟାରୁ ଦୂରେଇ ରଖାଯାଇଛି ବୋଲି ମୋଦୀ କହିଛନ୍ତି । ମନ୍ କି ବାତ୍ ହେଉଛି ଦେଶର ସାମୂହିକ ଶକ୍ତି ଏବଂ ଦେଶର ଉପଲବ୍ଧି ବିଷୟରେ। ଏକ ପ୍ରକାରରେ ଏହା ଲୋକଙ୍କର, ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା ଏକ କାର୍ଯ୍ୟକ୍ରମ। ତଥାପି ରାଜନୈତିକ ନୈତିକତା ଅନୁସରଣ କରି ଆସନ୍ତା ତିନି ମାସ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ସମୟରେ 'ମନ୍ କୀ ବାତ୍' ପ୍ରସାରଣ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।