ପଞ୍ଚଭୂତରେ ଲୀନ ହେଲେ କୋକିଳକଣ୍ଠୀ, ସଂଗୀତର ସରସ୍ବତୀଙ୍କୁ ଦେଶ ଦେଲା ଅଶ୍ରୁଳ ବିଦାୟ

ଶିବାଜୀ ପାର୍କରେ ପହଞ୍ଚି ଶେ‌ଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲା ଭାରତ ରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ପାର୍ଥିବ ଶରୀର। ଶରୀରର ଅନ୍ତଃ ହୋଇଛି ସତ, କିନ୍ତୁ ପ୍ରତିଟି ଭାରତୀୟଙ୍କ ହୃଦୟରେ ଜୀବନ୍ତ ରହିବେ ଲତା। ଯେତେକାଳ ତାଙ୍କ ବୀଣାଜିଣା କଣ୍ଠ ନିସୃତ ସୁମଧୁର ଗୀତ ଶୁଭୁଥିବ ସେ ପର୍ଯ୍ୟନ୍ତ ତାଙ୍କ ସତ୍ତାକୁ ଅନୁଭବ କରି ହେଉଥିବ। ନିଜର ପ୍ରିୟ ଘର ‘ପ୍ରଭୁକୁଞ୍ଜ’ରୁ ଶିବାଜୀ ପାର୍କ  ପର୍ଯ୍ୟନ୍ତ ଲତାଙ୍କ ଯାତ୍ରା ଥିଲା ଆବେଗପୂର୍ଣ୍ଣ।

ମୁମ୍ବାଇର ରାଜରାସ୍ତା ‌ସତେ ଯେମିତି ଝୁରିଝୁରି ନିଜର ପ୍ରିୟ ମଣିଷଟି ପାଇଁ  ଲୁହ ଝରାଉଥିଲା। ତାଙ୍କ ପାର୍ଥିବ ଶରୀରକୁ ଶିବାଜୀ ପାର୍କରେ ଯେତେବେଳେ ଶେଷ ଶ୍ରଦ୍ଧାଞ୍ଜଳି ଲାଗି ଶାୟିତ ଅବସ୍ଥାରେ ରଖି ଦିଆଗଲା, ମନେ ହେଉଥିଲା ମାଟିର ମହାକନ୍ୟା ମାଟିରେ ହିଁ ଲୀନ ହେବାକୁ ଯାଉଛନ୍ତି। ସରସ୍ବତୀ ପୂଜାର ପରଦିନ ବିଦାୟ ନେଲେ ‘ସଂଗୀତର ସରସ୍ବତୀ’।

Image

ଆଜି ସକାଳେ ତାଙ୍କର ଦେହାନ୍ତ ହେବା ପରେ ସନ୍ଧ୍ୟାରେ ଶିବାଜୀ ପାର୍କ ଗ୍ରାଉଣ୍ଡରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। ଭାରତୀୟ ସେନାର ତିନି ବାହିନୀ ପକ୍ଷରୁ ‌ତୋପ ସଲାମୀ ପରେ ୨ ମିନିଟର ନୀରବତା ଅବଲମ୍ବନ କରାଯାଇଥିଲା। ଏହାପରେ ଲତାଙ୍କ ପାର୍ଥିବ ଶରୀର ଉପରେ ଢ଼ଙ୍କା ଯାଇଥିବା ଜାତୀୟ ପତାକାକୁ କଢ଼ା ଯିବା ପରେ ତାହାକୁ ସେନାବାହିନୀ ପକ୍ଷରୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।ଏହାପରେ ତାଙ୍କ ପୁତୁରା ଅଜିତ ମଙ୍ଗେସକର ମୁଖାଗ୍ନି ଦେଇଥିଲେ।  ନିଜ ପରିବାରବର୍ଗ ଓ ପ୍ରଶଂସକଙ୍କୁ  ଛାଡ଼ି ଅନ୍ତିମ ବିଦାୟ ନେଇ ସବୁଦିନ ଲାଗି ପରପାରିକୁ ଚାଲିଯାଇଛନ୍ତି ସମସ୍ତଙ୍କର ପ୍ରିୟ ଲତା ଦିଦି। ଛଳଛଳ ଆଖିରେ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି ହଜାର ହଜାର ଶୋକାଭିଭୂତ ମଣିଷ।

ଶେଷକୃତ୍ୟସ୍ଥଳରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପୱାର, କ୍ରିକେଟ କିମ୍ବଦନ୍ତି ସଚ୍ଚିନ୍ ତେନ୍ଦୁଲକର ଓ ତାଙ୍କ ପତ୍ନୀ, ବଲିଉଡ ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଶ୍ରଦ୍ଧା କପୁର, ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକର, ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାର୍‌ ଆଦି ବହୁ ବିଶିଷ୍ଟ ବ୍ୟକ୍ତି। ଶେଷକୃତ୍ୟ ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଲୋକଙ୍କ ଆଖିରେ ଥିଲା ଲୁହ। ତାଙ୍କୁ ହରାଇବାର ଦୁଃଖ ସମସ୍ତଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା।

ତେବେ ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଲତା ମଙ୍ଗେସ୍‌କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା। ସେ କୋଭିଡ୍‌-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଥିଲେ। ଚିକିତ୍ସାର କିଛି ଦିନ ‌‌ପରେ ସେ ସୁସ୍ଥ ହୋଇଥିଲେ ବି ସ୍ବାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ହେଲେ ଏକାଧିକ ଅଙ୍ଗ ଅଚଳ ହେବାରୁ ଆଜି ସକାଳେ ସେ ମୃତ୍ୟୁ ସହ ଲଢ଼ି ହାରିଯାଇଥିଲେ।

ଭାରତୀୟ ସଂଗୀତର କିମ୍ବଦନ୍ତୀ ଲତା ମଙ୍ଗେସକର କୌଣସି ପରିଚୟର ଆବଶ୍ୟକତା ରଖନ୍ତି ନାହିଁ, ତାଙ୍କ କଣ୍ଠ ହିଁ ତାଙ୍କର ପରିଚୟ । ତାଙ୍କ ଗୀତ ବାଜିଲେ ଆଖି ବନ୍ଦ କରି ବି ଜଣେ କହିଦେବେ ତାଙ୍କ ନାଁ । ସେ ହେଉଛନ୍ତି କୋକିଳ କଣ୍ଠୀ, ସେ ହେଉଛନ୍ତି ସ୍ୱର ସମ୍ରାଜ୍ଞୀ, ତାଙ୍କ ସ୍ୱରରେ ବିଜେ କରିଛନ୍ତି ସ୍ବୟଂ ମା’ ସରସ୍ୱତୀ । ସତରେ ତାଙ୍କ ସ୍ୱରରେ ଏମିତି ଯାଦୁ ରହିଛି, ଯେଉଁଥିପାଇଁ ଏବେ ବି ତାଙ୍କ ଗୀତ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ସେହି ଆଗ୍ରହ ଓ ଆବେଗ ଦେଖିବାକୁ ମିଳେ। ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ, ଭାରତରତ୍ନ ଲତା ମଙ୍ଗେସକର ।

ଲତା ମଙ୍ଗେସକର ୧୯୨୯ ମସିହା ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଦୀନନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଓ ଥିଏଟର କଳାକାର ଥିଲେ । ଜନ୍ମ ସମୟରୁ ଲତାଙ୍କ ନାମ ହେମା ଦିଆଯାଇଥିଲା। ତାଙ୍କ ପିତା ‘ଭାବବନ୍ଧନ’ ନାମକ  ଏକ ନାଟକରେ ମହିଳା ଭୂମିକାରେ ଅଭିନୟ କରିଥିଲେ ଏବଂ ସେହି ଚରିତ୍ରର ନାମ ଥିଲା ଲତିକା। ଏହି ଲତିକା ନାମରୁ ପ୍ରେରିତ ହୋଇ  ନିଜ ବଡ଼ଝିଅର ନାମ ଲତା ରଖିଥିଲେ ଦୀନନାଥ ।

Lata Mangeshkar's Final Journey - Rediff.com movies
www.rediff.com

ପିଲା ବେଳୁ ହିଁ ସଙ୍ଗୀତ ପ୍ରତି ମନ ବଳାଇଥିଲେ ଲତା । ଘରେ ଥିଲା ସଂଗୀତର ମାହୋଲ୍। ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର । ଉଲ୍ଲେଖଯୋଗ୍ୟ, ଲତାଙ୍କ ଭଉଣୀ ଆଶା ଭୋଁସଲେ ଜଣେ ବିଶିଷ୍ଟ ଗାୟିକା ହୋଇଥିବ‌ା ବେଳେ ଅନ୍ୟ ଭଉଣୀ ଉଷା ମଙ୍ଗେସକର ସଂଗୀତ ନିର୍ଦ୍ଦେଶିକା। ଆଶା ଓ ଉଷାଙ୍କର ମଧ୍ୟ ଭାରତୀୟ ଚଳଚ୍ଚିତ୍ର ସଂଗୀତକୁ ଉଲ୍ଲେଖନୀୟ ଅବଦାନ ରହିଛି। ଲତାଙ୍କ ଭାଇ ପଣ୍ଡିତ ହୃଦୟନାଥ ମଙ୍ଗେସକର ଜଣେ ଶାସ୍ତ୍ରୀୟ ସଂଗୀତଜ୍ଞ ହେବା ସହ ସଂଗୀତ ନିର୍ଦ୍ଦେଶକ ମଧ୍ୟ।

ପିତାଙ୍କ ମୃତ୍ୟୁ ପରେ ଲତାଙ୍କୁ ବିଭିନ୍ନ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଦେଇଥିଲେ ନବଯୁଗ ଚିତ୍ରପଟ୍ଟ ଚଳଚ୍ଚିତ୍ର କମ୍ପାନି ସ୍ବତ୍ବାଧିକାରୀ ବିନାୟକ ଦାମୋଦର କରର୍ଣ୍ଣାଟକୀ। କିନ୍ତୁ ସଙ୍ଗୀତ ନିର୍ଦ୍ଦେଶକ ଗୁଲାମ୍‌ ହୈଦର୍ ଲତାଙ୍କ ପ୍ରତିଭାକୁ ପରଖି ଥିଲେ ଓ ତାଙ୍କୁ ବଲିଉଡ୍‌ର କଣ୍ଠଶିଳ୍ପୀ ହେବାକୁ ପ୍ରେରଣା ଦେଇଥିଲେ। ଏକଦା ୧୯୪୮ ମସିହାର ଚଳଚ୍ଚିତ୍ର ‘ସହିଦ’ର ନିର୍ମାଣ ଚାଲିଥିବା ବେଳେ ଏହାର ପ୍ରଯୋଜକ ଶଶଧର ମୁଖାର୍ଜୀଙ୍କ ସହ ଲତାଙ୍କୁ ଗୁଲାମ୍‌ ହୈଦର ପରିଚୟ କରାଇଥିଲେ। କିନ୍ତୁ ଲତାଙ୍କ ସ୍ବର ଖୁବ୍‌ ପତଳା କହି ଶ୍ରୀ ମୁଖାର୍ଜୀ ଲତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ସେହି ସମୟରେ ଗୁଲାମ୍‌ ହୈଦର କହିଥିଲେ, ଆଉ କିଛି ବର୍ଷ ପରେ ସମସ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ଯାହାକୁ ନିଜ ଚଳଚ୍ଚିତ୍ରରେ ଗାଇବାକୁ ଭିକ୍ଷା ମାଗିବେ, ତାଙ୍କ ଗୋଡ଼ ଧରିବେ; ଏ ହେଉଛନ୍ତି ସେହି କଣ୍ଠଶିଳ୍ପୀ। ଶେଷରେ ତାହା ହିଁ ହୋଇଥିଲା।  ଗୁଲାମ୍‌ ହୈଦରଙ୍କୁ ନିଜ ଗଡ୍‌ଫାଦର ଭାବେ ସ୍ବୀକାର କରନ୍ତି ଲତା।

Watch Video: Lata Mangeshkar's last journey starts from Prabhukunj' to Shivaji Park
freepressjournal

ଗୁଲାମ୍‌ ହୈଦର ଲତାଙ୍କୁ ତାଙ୍କ ଜୀବନର ପ୍ରଥମ ବଡ଼ ସୁଯୋଗ ଦେଇଥିଲେ। ୧୯୪୮ ମସିହାର ‘ମଜବୁର୍‌’ ଚଳଚ୍ଚିତ୍ରର ‘ଦିଲ୍‌ ମେରା ତୋଡ଼ାଟ୍ଟ ମୁଝେ କହିଁ କା ନା ଛୋରାଟ୍ଟ’ ଗୀତ ଲତାଙ୍କୁ ସଫଳତାର ସ୍ବାଦ ଚଖାଇଥିଲା। ଆଉ ସେ ପଛକୁ ଫେରି ଚାହିଁ ନଥିଲେ। ୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ମଙ୍ଗେସକର ହିନ୍ଦୀ ଓ ମରାଠୀ ଭାଷାରେ ୮ଟି ସିନେମାରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ର ‘କିଟ୍ଟି ହାସଲ’ରୁ ସେ ଗାୟିକା ଭାବେ କ୍ୟାରିୟର ଆରମ୍ଭ କରିଥିଲେ। କିନ୍ତୁ ଏହି ଛବିରେ ତାଙ୍କ ଗୀତଟି ବାଦ ପଡ଼ିଥିଲା।  ଏହାପରେ ‘ମଜବୁର’, ‘ବେଦର୍ଦ’ ଭଳି ଦୁଇଟି ଚଳଚ୍ଚିତ୍ରରେ ଗୀତ ଗାଇ ପରିଚିତ ହେବା ପରେ ପୂରା ସଙ୍ଗୀତ ଜଗତରେ ଛାଇ ଯାଇଥିଲେ ଲତା ମଙ୍ଗେସକର ।

୧୯୬୩ ମସିହାରେ ହୋଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଜନଗଣଙ୍କ ମନୋବଳ ବୃଦ୍ଧି ଲାଗି ଲତାଙ୍କ ଗୀତ ‘ଏ ମେରେ ବତନ କେ ଲୋଗୋଁ’ ସବୁ ଭାରତୀୟଙ୍କ ମନକୁ ଭାବବିହ୍ବଳ କରିଥିଲା । ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଲତା ମଙ୍ଗେସକର ‘ଲଗଜା ଗଲେ’, ‘ପ୍ୟାର କା ନଗମା’, ‘ସିସା ହୋ ୟା ଦିଲ’, ‘ତେରେ ବିନା ଜିନ୍ଦେଗୀ ସେ କୋଇ ସିକୱା ନେହିଁ’ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ ।

Lata Mangeshkar embarks on her final journey covered in tricolour - BusinessToday
businesstoday

ନିଜ କ୍ୟାରିୟର ଭିତରେ ଭାରତୀୟ ସିନେମାକୁ ଅନେକ ସଙ୍ଗୀତ ଭେଟି ଦେଇଛନ୍ତି ଲତା ମଙ୍ଗେସକର । କେବଳ ହିନ୍ଦୀ ନୁହେଁ ୩୬ଟି ଭାଷାର ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧି ଲାଭ କରିଛନ୍ତି । ବିଭିନ୍ନ ଭାଷାରେ ପ୍ରାୟ ୫୦,୦୦୦ ଗୀତ ଲତା ମଙ୍ଗେସକର ଗାଇ ସାରିଛନ୍ତି।  ସେ ମୁଖ୍ୟତଃ ହିନ୍ଦୀ, ମରାଠୀ ଓ ବଙ୍ଗଳା ଗୀତ ଗାନ କରିଛନ୍ତି। ଲତା ମଙ୍ଗେସକର ଦୁଇଟି ଓଡ଼ିଆ ଗୀତରେ ମଧ୍ୟ କଣ୍ଠଦାନ କରିଛନ୍ତି।

କେବଳ ଗାଇବାରେ ସୀମିତ ନୁହେଁ ଲତାଙ୍କ ଅବଦାନ। ସେ  ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ କତିପୟ ଚଳଚ୍ଚିତ୍ରର ପ୍ରଯୋଜନା ବି କରିଛନ୍ତି । ମରାଠୀ ଚଳଚ୍ଚିତ୍ର ‘ବାଦଲ୍‌’, ହିନ୍ଦୀ ଚଳଚ୍ଚିତ୍ର ‘ଝାନ୍‌ଝର୍‌’, ‘କାଞ୍ଜନଜଙ୍ଗା’ ଓ ‘ଲେକିନ୍‌’ ଆଦି ଚଳଚ୍ଚିତ୍ରର  ପ୍ରଯୋଜନା କରିଥିଲେ ଲତା। ୧୯୫୫ ମସିହାର ଚଳଚ୍ଚିତ୍ର ‘ରାମ୍‌ ରାମ୍‌ ପାଭ୍‌ନେ’ର ସଂଗୀତ ନିର୍ଦ୍ଦେଶକ ଥିଲେ ଲତା । କିନ୍ତୁ ସେ ଏକ ଛଦ୍ମନାମ ‘ଆନନ୍ଦ ଘାନ୍’ ନାମରେ ସଙ୍ଗୀତ ନିର୍ଦ୍ଦେଶନା ଦେଉଥିଲେ। ‘ମରାଠା ଟିଟୁକା ମେଲ୍‌ଭାଭା’, ‘ମୋହିତ୍ୟାଞ୍ଚି ମଞ୍ଜୁଳା’, ‘ସାଧି ମନାସେ’ ଓ ‘ତମ୍ବାଡି ମାଟି’ ଆଦି ମରାଠୀ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଲତା ଦେଇଥି‌ଲେ।

ଭାରତୀୟ ସଙ୍ଗୀତକୁ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ୩ ଥର ଜାତୀୟ ଫିଲ୍ମ ପୁରସ୍କାର, ୧୫ ଥର ବିଏଫଜେଏ(ବେଙ୍ଗଲ ଫିଲ୍ମ ଜର୍ଣ୍ଣାଲିଷ୍ଟ୍ସ ଆସୋସିଏସନ୍) ପୁରସ୍କାର, ୪ ଥର ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଫିଲ୍ମ ଫେୟାର ପୁରସ୍କାର ଓ ଫିଲ୍ମ ଫେୟାର ଜୀବନବ୍ୟାପୀ ସାଧନା ପୁରସ୍କାର(୧୯୯୩) ଲାଭ କରିଛନ୍ତି। ଏହା ସହିତ ସେ ପଦ୍ମ ଭୂଷଣ(୧୯୬୯), ଦାଦା ସାହେବ ଫାଲକେ ପୁରସ୍କାର(୧୯୮୯), ମହାରାଷ୍ଟ୍ର ଭୁଷଣ(୧୯୯୭), ପଦ୍ମ ବିଭୂଷଣ(୧୯୯୯), ଭାରତ ରତ୍ନ (୨୦୦୧), ଫ୍ରାନ୍ସ ସରକାରଙ୍କ ତରଫରୁ ‘ଲିଜିୟନ୍ ଅଫ୍ ଅନର୍’ ସମ୍ମାନ ଲାଭ କରିଛନ୍ତି।

 

ଲତା ମଙ୍ଗେସକର ଗାଇଥିବା ଶ୍ରେଷ୍ଠ ୨୦ ଗୀତ :
୧. ଲାରୁ ଲାପ୍ପା ଲାରା ଲାପ୍ପା…(ଏକ୍ ଥି ଲଡକି, ୧୯୪୯)
୨. ନା ବୋଲେ ନା ବୋଲେ ରେ…(ଆଜାଦ୍,୧୯୫୫)
୩. ମନ୍ ମହନା ବଡେ ଝୁଟା…(ସୀମା, ୧୯୫୫)
୪. ନୈନ୍ ସେ ନୈନ୍ ନ ମିଲାଓ…(ଝନକ୍ ଝନକ୍ ପାୟଲ୍ ବାଜେ, ୧୯୫୫)
୫. ରଶିକା ବାଲ୍ମା…..(ଚୋରି ଚୋରି.୧୯୫୫)
୬. ଆଜା ରେ ପରଦେଶୀ….(ମଧୁମତି ୧୯୫୮)
୭. ଓ ସଜନା…..(ପରଖ୍, ୧୯୬୦)
୮. ଅଜିବ୍ ଦସ୍ତାନ୍ ୟେ….(ଦିଲ୍ ଅପନା ପ୍ରୀତ୍ ପରାଇ, ୧୯୬୦)
୯. ଆଲ୍ଲା ତେରୋ ନାମ୍…..( ହମ୍ ଦୋନୋ, ୧୯୬୧)
୧୦. ନୈନା ବରଷେ ରିମ୍ ଝିମ୍….(ଓ୍ଵ କୌନ୍ ଥି, ୧୯୬୪)
୧୧. ତୁ ଜାହାଁ ଜାହାଁ ଚଲେଗା….. (ମେରା ଶାୟା,୧୯୬୬)
୧୨. ଇନ୍ହି ଲୋଗୋଁ ନେ… ଇନ୍ହି ଲୋଗୋଁ ନେ…(ପାରେଖ୍, ୧୯୭୨)
୧୩. ଏକ୍ ପ୍ୟାର୍ କା ନଗମା ହୈ…..(ଫିଲ୍ମ: ସୋର୍, ୧୯୭୨)
୧୪. ରୈନା ବିତ୍ ଯାଏ…..( ଫିଲ୍ମ: ଅମର୍ ପ୍ରେମ୍,୧୯୭୨)
୧୫. ବାହୋ ମେଁ ଚଲେ ଆଓ…(ଅନାମିକା, ୧୯୭୩)
୧୬. ତେରେ ବିନା ଜିନ୍ଦେଗି ମେଁ କୋଇ….(ଆନ୍ଧି,୧୯୭୫)
୧୭. ଏ ଦିଲ୍-ଏ-ନାଦାନ୍…(ରେଜିଆ ସୁଲତାନ, ୧୯୮୩)
୧୮. ଜିୟା ଜଲେ…(ଦିଲ୍ ସେ, ୧୯୯୮)
୧୯. ଏକ୍ ତୁ ହି ଭରସା… ( ପୁକାର୍ ୨୦୦୦)
୨୦. ମେରେ ଖ୍ଵାବୋଁ ମେଁ ଜୋ ଆଏ….(ଦିଲ୍ ଓ୍ଵାଲେ ଦୁଲହନିଆଁ ଲେ ଜାଏଙ୍ଗେ, ୧୯୯୪)

ସମ୍ବନ୍ଧିତ ଖବର