ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ମିଲ୍‌ଖା ସିଂହଙ୍କ ଅନ୍ତିମ ସଂସ୍କାର

ଚଣ୍ଡୀଗଡ଼: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ମିଲ୍‌ଖା ସିଂହଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି | ଅନ୍ତିମ ସଂସ୍କାର ସମୟରେ ମିଲ୍‌ଖା ସିଂହଙ୍କ ପୁଅ ଗୋଲଫର ଜୀବ ମିଲ୍‌ଖା ସିଂହ ଓ ତିନି ଜଣ ଝିଅ ଉପସ୍ଥିତ ଥିଲେ | ଏହା ସହ କେନ୍ଦ୍ର କ୍ରୀଡା ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଶେଷ ଦର୍ଶନ ପାଇଁ ପହଂଚିଥିଲେ | ଏହା ପୂର୍ବରୁ ଟୁଇଟ୍‌ କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଲେଖିଥିଲେ ଯେ, ଆମ ସରକାରଙ୍କୁ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ସ୍ବର୍ଗତ ମିଲ୍‌ଖା ସିଂହଜୀଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ନିର୍ଦ୍ଦେଶ ଦେଇଛି।

ଦିବଂଗତ କିଂବଦନ୍ତିଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ମଧ୍ୟ ପାଳନ କରାଯିବ। ସୂଚନା ଥାଉ କି କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇଥିବା ମିଲ୍‌ଖା ସିଂହ ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଦୀର୍ଘଦିନ ଚିକିତ୍ସାଧୀନ ରହି ୯୧ ବର୍ଷ ବୟସରେ ଶୁକ୍ରବାର ରାତିରେ ପ୍ରାଣ ତ୍ୟାଗ କରିଥିଲେ । ୪ ଥର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣପଦକ ହାସଲକାରୀ ସିଂହଙ୍କୁ ‘ଉଡ଼ନ୍ତା ଶିଖ୍‌’ ଭାବେ ଅଭିହିତ କରାଯାଏ।

କୋଭିଡ୍‌-୧୯ଦ୍ବାରା ଆକ୍ରାନ୍ତ ହୋଇଥିବା ତାଙ୍କ ପତ୍ନୀ ମଧ୍ୟ ଏ ସପ୍ତାହ ପ୍ରାରମ୍ଭରେ ମୃତ୍ୟୁବରଣ କରିଥିଲେ। ଅନ୍ୟପଟେ ମିଲ୍‌ଖା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଆଜି ବାଲୁକା କଳାକୃତି ନିର୍ମାଣ କରିଛନ୍ତି |

ସମ୍ବନ୍ଧିତ ଖବର