ଭାରତର ବିଭିନ୍ନ ଅଞ୍ଚଳ ସହ ବିଶ୍ୱର ଅନ୍ୟ କେତେକ ଦେଶରେ ଦୃଶ୍ୟମାନ ହେଉଛି ଏ ବର୍ଷର ଶେଷ ସୂର୍ଯ୍ୟୋପରାଗ

ନୂଆଦିଲ୍ଲୀ: ବାର୍ଷିକ ତଥା ଏ ବର୍ଷର ଶେଷ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ସାରିଛି। ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ଉତ୍ତର କେରଳର ଚେରୁବତୁର ଏବଂ ଓ୍ଵାୟାନାଡ଼ ଠାରେ ଜନଗହଳି ହୋଇଛି। ମହାରାଷ୍ଟ୍ର ଆକାଶର ବହୁଳାଂଶ ମେଘାଚ୍ଛନ୍ନ ରହିଥିବାରୁ ସୂର୍ଯ୍ୟୋପରାଗ ଦେଖିବାରେ ବାଧା ଉପୁଜିଛି।

ଉତ୍ତର କେରଳର ଚେରୁବତୁର ହେଉଛି ଭାରତର ପ୍ରଥମ ସ୍ଥାନ ଯେଉଁଠି ଆଜି ସୂର୍ଯ୍ୟୋପରାଗ ଦେଖାଯାଇଥିଲା। ସେଠାରେ ସୂର୍ଯ୍ୟ ଏକ ସୁବର୍ଣ୍ଣ ବଳୟ ସଦୃଶ ଦେଖାଯାଉଛି। ସକାଳ ୮: ୦୫ ରୁ ଦିନ ୧୧ଟା ଯାଏଁ କେରଳରେ ସୂର୍ଯ୍ୟୋପରାଗ ଦେଖାଯିବ।

Crowd at Cheruvathur; Photo Courtesy of HT

ସକାଳ ପ୍ରାୟ ୭: ୫୯ ମିନିଟରେ ଓମାନସ୍ଥିତ ଆରବ ସାଗର ତଟରେ ସୂର୍ଯ୍ୟୋପରାଗ ଆରମ୍ଭ ହେଉଥିବା ଦୃଶ୍ୟ ପ୍ରଥମେ ଦେଖାଯାଇଥିଲା। ତା’ପରେ ସକାଳ ୯: ୦୬ ମିନିଟରେ ଏହା ପଶ୍ଚିମ ବାହାରିନରେ ଦେଖାଯାଇଥିବା କଥା ଏମ୍‌ପି ବିର୍ଲା ପ୍ଲାନେଟେରିୟମ୍‌ ସ୍ଥିତ ଏମ୍‌ପି ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚର ଗବେଷକ ଏବଂ ଅଧ୍ୟାପକ ଦେବୀପ୍ରସାଦ ଦୁଆରି କହିଛନ୍ତି।

ଭାରତୀୟ ଉପମହାଦେଶରେ ସୂର୍ଯ୍ୟୋପରାଗ କିଛି ଅଞ୍ଚଳକୁ ଦୃଶ୍ୟମାନ ହେଉଛି। ପରାଗର ଜ୍ୟାମିତିକ ପଥ ଅନୁସାରେ କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁ ପରେ ବଙ୍ଗୋପସାଗର ଉପର ଦେଇ ଏହା ଉତ୍ତର ଶ୍ରୀଲଙ୍କାରେ ଦୃଶ୍ୟମାନ ହେବ।

Solar eclipse in Kochi; Photo Courtesy of ANI

ଭାରତର ସବୁ ଅଞ୍ଚଳର ଅଧିବାସୀ ଏହି ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ସମର୍ଥ ହେଉଥିଲେ ବି ଦକ୍ଷିଣ ଭାଗର ଅଧିବାସୀମାନେ ଏହାର ବହୁଳାଂଶ ଦେଖିବାକୁ ସମର୍ଥ ହେଉଛନ୍ତି।

ଭାରତ ବ୍ୟତୀତ ସାଉଦି ଆରବ, କତାର, ସଂଯୁକ୍ତ ଆରବ ଏମିରେଟ୍‌ସ୍‌, ଓମାନ୍‌, ଶ୍ରୀଲଙ୍କା, ମାଲେସିୟା, ଇଣ୍ଡୋନେସିଆ, ସିଙ୍ଗାପୁର, ଉତ୍ତର ମାରିଆନା ଦ୍ୱୀପପୁଞ୍ଜ ଏବଂ ଗୁଆମ୍‌ରେ ଏହି ସୂର୍ଯ୍ୟୋପରାଗ ଦେଖା ଯାଉଛି।

ସମ୍ବନ୍ଧିତ ଖବର