ରାଣୀଙ୍କ ଶେଷକୃତ୍ୟ ପୂର୍ବରୁ ୪ ଦିନ ଶେଷଦର୍ଶନ‌‌

ଲଣ୍ଡନ :ବ୍ରିଟେନର ମହାରାଣୀ ଏଲିଜାବେଥ ତୃତୀୟଙ୍କର ଗତ ୮ ତାରିଖରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁଖବର ସାରା ବିଶ୍ବକୁ ଶୋକରେ ବୁଡ଼ାଇ ରଖିଛି। ଆସନ୍ତା ୧୯ ତାରିଖରେ ‌ତାଙ୍କର ଶେଷକୃତ୍ୟ ହେବ। ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ବ ନେତୃବୃନ୍ଦ ଯୋଗଦେବେ। ସେହିଦିନକୁ ବ୍ୟାଙ୍କ ଛୁଟି ମଧ୍ୟ ଘୋଷଣା କରାଯାଇଛି।

ରାଣୀଙ୍କ ଶେଷଯାତ୍ରା ରବିବାର ଆରମ୍ଭ ହୋଇଛି। ତାଙ୍କୁ କଫିନରେ ରଖାଯାଇ ଶବବାହକ ଗାଡ଼ି ନିକଟକୁ ପ୍ରଥମେ ନିଆଯାଇଥିଲା। ସେହି ଗାଡ଼ିରେ ତାଙ୍କୁ ଏଡିନବର୍ଗ ଓ ସେଣ୍ଟ ଜିଲ୍ସ କ୍ୟାଥେଡ୍ରାଲଙ୍କୁ ନିଆଯିବ। ଏଥିରେ ରାଜ ପରିବାରର ସଦସ୍ୟମାନେ ଯୋଗଦେବେ। ସେଠାରେ ରାଣୀଙ୍କ ଶରୀରକୁ ଲୋକଙ୍କ ଦର୍ଶନ ପାଇଁ ୨୪ ଘଣ୍ଟା ରଖାଯିବ। ମଙ୍ଗଳବାର ଦିନ ପ୍ରିନସେସ୍ ଆନି ତାଙ୍କ ମାଆଙ୍କ ଶରୀର ସହିତ ଲଣ୍ଡନକୁ ଯାତ୍ରା କରିବେ। ରାଣୀଙ୍କ କଫିନ ଏଡିନବର୍ଗ ବିମାନ ବନ୍ଦରରୁ ରୟାଲ ଏୟାରଫୋର୍ସର ନର୍ଟହୋଲ୍ଟ ଘାଟି ଦେଇ ବକିଂହାମ ପ୍ୟାଲେସକୁ ଯିବ। ବୁଧବାର ଅପରାହ୍ଣରେ ରାଣୀଙ୍କ କଫିନକୁ ୱେଷ୍ଟମିନିଷ୍ଟର ହଲକୁ ନିଆଯିବ। ସେଠାରେ ଗୁରୁବାରଠାରୁ ୪ ଦିନ ପାଇଁ ରାଣୀଙ୍କ ମରଶରୀର ବିଭିନ୍ନ ବର୍ଗର ଲୋକଙ୍କ ଶେଷଦର୍ଶନ ପାଇଁ ରହିବ। ଏହାପରେ ଲଣ୍ଡନରୁ ୱିଣ୍ଡସର କ୍ୟାସେଲକୁ ଏକ ଶୋଭାଯାତ୍ରାରେ ନିଆଯିବ। ରାଣୀଙ୍କୁ ୱିଣ୍ଡସରର ରାଜା ଷଷ୍ଠ ଜର୍ଜଙ୍କ ସ୍ମାରକୀ ଚାପେଲ୍‌ରେ ସବୁଦିନ ପାଇଁ ବିଶ୍ରାମ ଦିଆଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ରାଣୀଙ୍କ ଶେଷକୃତ୍ୟ ହେବ। ଏହା ପୂର୍ବରୁ ୧୯୬୫ ମସିହାରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍‌ ୱିନଷ୍ଟନ ଚର୍ଚ୍ଚିଲଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହିତ ହୋଇଥିଲା।

ସମ୍ବନ୍ଧିତ ଖବର