ମୁଖ୍ୟବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କର ଆଜି ଶେଷ କାର୍ଯ୍ୟ ଦିବସ, ୧୭ରେ ନେବେ ଅବସର : ୩ ମିନିଟରେ ୧୦ଟି ମାମଲାରେ ନୋଟିସ ଜାରି କଲେ

ନୂଆଦିଲ୍ଲୀ:  ପ୍ରଧାନ ବିଚାରପତି ରଂଜନ ଗୋଗୋଇ ୧୭ତାରିଖରେ ଅବସର ନେବାକୁ ଥିବା ବେଳେ ଆଜି ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ । ଆଗାମୀ ଦୁଇ ଦିନ ଶନିବାର ଓ ରବିବାର ଥିବା ଯୋଗୁଁ ଆଜି ହେଉଛି ତାଙ୍କର ଶେଷ କାର୍ଯ୍ୟ ଦିବସ । ପରମ୍ପରା ଅନୁଯାୟୀ ପରବର୍ତୀ ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ସହ ଆଜି କୋର୍ଟ ରୁମରେ ବସିଥିଲେ ପ୍ରଧାନ ବିଚାରପତି ଗୋଗୋଇ । ଏହାସହ ୩ ମିନିଟ ସମୟ ଭିତରେ ପ୍ରାୟ ୧୦ଟି ମାମଲାରେ ପ୍ରଧାନ ବିଚାରପତି ଗୋଗୋଇ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି ।

ପ୍ରାୟ ୧୩ ମାସ ଧରି ସର୍ବୋଚ୍ଚ ଅଦାଲତର ପ୍ରଧାନ ବିଚାରପତି ଦାୟିତ୍ୱ ତୁଲାଇଛନ୍ତି  ଜଷ୍ଟିସ ଗୋଗୋଇ । ତାଙ୍କ କାର୍ଯ୍ୟକାଳ ଭିତରେ ସେ ଅନେକ ଐତିହାସିକ ରାୟ ଶୁଣାଇଛନ୍ତି । ଅଯୋଧ୍ୟା ମାମଲା, ମୁଖ୍ୟବିଚାରପତିଙ୍କ ଅଫିସକୁ ଆରଟିଆଇ ପରିସରଭୁକ୍ତ କରିବା, ରାଫେଲ ଚୁକ୍ତି, ସାବରୀମାଳା ମନ୍ଦିରକୁ ମହିଳା ପ୍ରବେଶ ଓ ସରକାରୀ ବିଜ୍ଞାପନରେ ନେତାଙ୍କ ଫଟୋକୁ ପ୍ରକାଶିତ କରିବା ଉପରେ ରୋକ୍ ମାମଲାରେ ବରିଷ୍ଠ ବିଚାରପତି ରଞ୍ଜନ ଗୋଗୋଇ ଐତିହାସିକ ରାୟ ପ୍ରଦାନ କରିଛନ୍ତି ।

Image Courtesy of OneIndia

ତାଙ୍କ ପରେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଦେଶର ୪୭ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ୧୯୭୮ରେ ଆସାମର ଗୌହାଟୀ ହାଇକୋର୍ଟରେ ଜଣେ ଆଇନଜୀବୀ ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ ପ୍ରଧାନ ବିଚାରପତି ଗୋଗୋଇ । ୨୦୦୧, ଫେବୃୟାରୀ ୨୮ରେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

୨୦୧୧, ଫେବ୍ରୁୟାରି ୧୨ତାରିଖରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । ଏହି ପଦରେ ବର୍ଷେ ରହିବା ପରେ ୨୦୧୨ରେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହୋଇଥିଲେ । ଏହାପରେ ଗତବର୍ଷ ତାଙ୍କୁ ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର